ମୁମ୍ବାଇ: କାରବାର ଆରମ୍ଭରୁ ବଜାର କ୍ରାସ । ଆଜି(ଗୁରୁବାର) ପ୍ରାରମ୍ଭିକ କାରବାରରେ ବିଏସଇ(BSE) ସୂଚକାଙ୍କ ସେନସେକ୍ସରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଆରମ୍ଭରୁ ୧୧୦୦ ପଏଣ୍ଟ ବା ୨ ପ୍ରତିଶତ ଖସିଛି ସେନସେକ୍ସ(Sensex slumps over 1,100 pts in early trade) । ଟାଇଟାନ(Titan), ୱିପ୍ରୋ(Wipro) ଏବଂ ଏଚଡିଏଫସି ଟ୍ବିନ୍ସ( HDFC twins) ଷ୍ଟକରେ ପ୍ରବଳ କ୍ଷତି ଆସିଛି । ସପ୍ତାହ ଆରମ୍ଭରୁ ଆଜି ଯାଏଁ ସେନସେକ୍ସରେ ପ୍ରାୟ ୪ ହଜାର ପଏଣ୍ଟ ହ୍ରାସ ହେଲାଣି ।
ଆଜି ବିଏସଇ ସୂଚକାଙ୍କ ପ୍ରାରମ୍ଭିକ କାରବାରରେ ୧୧୫୫.୬୧ ପଏଣ୍ଟ ବା ୨ ପ୍ରତିଶତ ହ୍ରାସ ସହ 56,702.54ରେ କାରବାର କରିଥିଲା । ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE) ନିଫ୍ଟି ବି ତଳମୁହାଁ ରହିଛି । କାରବାର ଆରମ୍ଭରେ ଏହା ୧୭ ହଜାର ପଏଣ୍ଟ ଉପରେ ଥିବାବେଳେ ଏହା 329.15 ପଏଣ୍ଟ ବା 1.91 କମି 16,948.80ରେ ରହିଛି । ସେନସେକ୍ସ ପ୍ୟାକରେ ଆଜି ୪.୦୬ ହ୍ରାସ ସହ ସବୁଠୁ ଅଧିକ କ୍ଷତି ସହିଛି ଟାଇଟାନ । ଏହାପଛକୁ ୱିପ୍ରୋ, ଡଃ ରେଡ୍ଡୀ ଏବଂ ଏଚଡିଏଫସି ବ୍ୟାଙ୍କ, ଟେକ୍ ମହିନ୍ଦ୍ରା ଏବଂ ଇନଫୋସିସ୍ ଷ୍ଟକ ମୂଲ୍ୟ ତଳକୁ ଖସିଛି । ଅନ୍ୟପଟେ ମାରୁତି ଏବଂ ଏନଟିପିସି ଲାଭ ଅର୍ଜନକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି ।
ଗତକାଲି(ବୁଧବାର) ସାଧାରଣତନ୍ତ୍ର ଦିବସ ପାଇଁ ବଜାର ବନ୍ଦ ଥିଲା । ଏହାର ପୂର୍ବଦିନ ଅର୍ଥାତ୍ ମଙ୍ଗଳବାର ୩୦ ସେୟାର ଆଧାରିତ ସେନସେକ୍ସ 366.64 ପଏଣ୍ଟ ବା ୦.୬୪ ପ୍ରତିଶତ ବୃଦ୍ଧି ସହ 57,858.15 ପଏଣ୍ଟରେ କାରବାର ବନ୍ଦ କରିଥିଲା । ଅନୁରୂପ ଭାବେ ନିଫ୍ଟି ମଧ୍ୟ 128.85 ବା 0.75 ପ୍ରତିଶତ ଉଛୁଳି 17,277.95ରେ ବନ୍ଦ ହୋଇଥିଲା ।