ନୂଆଦିଲ୍ଲୀ: ରେପାରେଟ ହ୍ରାସ ଓ ଇଏମଆଇ ସ୍ଥଗିତ ଅବଧି ବୃଦ୍ଧି ନେଇ ଆରବିଆଇର ଘୋଷଣା ପରେ ବି ବଜାର ବେଲଗାମ । ଶୁକ୍ରବାର ବ୍ୟାଙ୍କ ଓ ଆର୍ଥିକ କମ୍ପାନୀ ସେୟାରରେ ହ୍ରାସ ଯୋଗୁଁ ସେନସେକ୍ସ ତଳମୁହାଁ ସହ ବନ୍ଦ ହୋଇଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 260.31 ପଏଣ୍ଟ ହ୍ରାସ ପାଇ 30,672.59 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 67 ପଏଣ୍ଟ କ୍ଷତି ସହ 9,039.25 ପଏଣ୍ଟରେ କାରବାର ବନ୍ଦ କରିଛି ।
ସେନସେକ୍ସ କମ୍ପାନୀ ମଧ୍ୟରେ ଏକ୍ସିସ ବ୍ୟାଙ୍କ ସେୟାର ସର୍ବାଧିକ 5 ପ୍ରତିଶତ ଖସିଛି । ସେହିପରି ଏଚଡିଏଫସି, ବଜାଜ ଫାଇନାନ୍ସ, ଆଇସିଆଇସିଆଇ ବ୍ୟାଙ୍କ , ଟାଟା ଷ୍ଟିଲ, ବଜାଜ ଅଟୋ, ଏଚଡିଏଫସି ବ୍ୟାଙ୍କ ସେୟାର ସର୍ବାଧିକ କ୍ଷତି ସହ ବନ୍ଦ ହୋଇଛି ।
ଅର୍ଥବ୍ୟବସ୍ଥାକୁ ବଳ ଓ ଜନତାଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶୁକ୍ରବାର ଆରବିଆଇ ରେପୋରେଟ ଦର 40 ବେସିସ ପଏଣ୍ଟ ହ୍ରାସ କରି 4 ପ୍ରତିଶତ କରିଛି । ଯାହାକି 2000 ମସିହା ପରର ସର୍ବନିମ୍ନ ସ୍ତର । ତେବେ 2020-21 ଆର୍ଥିକ ବର୍ଷର ଜିଡିପି ନକରାତ୍ମକ ରହିବା ସହ ମୁଦ୍ରାସ୍ପୀତି ବଢିବା ଆଶଙ୍କା ରହିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି । ଏହି ଘୋଷଣା ପରେ ସେନସେକ୍ସ 400ରୁ ଅଧିକ ପଏଣ୍ଟ ଖସିଥିଲା ବେଳେ ନିପ୍ଟି 9 ହଜାରକୁ ଛୁଇଁଥିଲା । ତେବେ ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସିବା ପରେ ପୁଣି ବନ୍ଦ ସମୟରେ ହ୍ରାସ ଦେଖାଦେଇଛି ।