ନୂଆଦିଲ୍ଲୀ: ରେଟରେ ଲାଗୁନି ବ୍ରେକ । ଦିନକୁ ଦିନ ଦେଶରେ ନୂଆ ରେକର୍ଡ ବନାଉଛି ପେଟ୍ରୋଲ ଡିଜେଲ । ଲଗାତାର ପଞ୍ଚମ ଦିନରେ ତୈଳ ଦର ବଢାଇଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଦେଶରେ ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦିନେ ୭୦ ରୁ ୮୦ ଟଙ୍କାରେ ମିଳୁଥିବା ଡିଜେଲ ଏବେ ଅନେକ ସ୍ଥାନରେ ଶତକ ପାର୍ କରିଛି ।
IOCL ମୁତାବକ, ଦରଦାମ୍ ବୃଦ୍ଧି ସହ ଆଜି ଦିଲ୍ଲୀରେ ପେଟ୍ରୋଲ ଦାମ୍ ଲିଟର ପିଛା ୧୦୭.୫୯ ଟଙ୍କା ହୋଇଯାଇଛି । ଏଠାରେ ଡିଜେଲ ୯୬.୩୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୧୩.୪୬ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ଡିଜେଲ ୧୦୪.୩୮ ଟଙ୍କାରେ ମିଳୁଛି । ଦେଶର ଅନ୍ୟ ମହାନଗର କଥା ବିଚାରକୁ ନେଲେ, ଆଜି କୋଲକାତାରେ ପେଟ୍ରୋଲ ଦର ୧୦୮.୧୧ ଟଙ୍କା ଓ ଡିଜେଲ ୯୯.୪୩ ଟଙ୍କା ରହିଛି । ଚେନ୍ନାଇରେ ଏହି ଦର ଯଥାକ୍ରମେ ୧୦୪.୫୨ ଏବଂ ୧୦୦.୫୯ ଟଙ୍କା ହୋଇଯାଇଛି । ରାଜସ୍ଥାନ, ଛତିଶଗଡ, ମହାରାଷ୍ଟ୍ର, ଜମ୍ମୁ-କାଶ୍ମୀର, ଝାରଖଣ୍ଡ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ଡିଜେଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ।
ସେପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପେଟ୍ରୋଲ ୩୫ ପଇସା ବଢିଛି । ଏହି ବୃଦ୍ଧି ସହ ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଦର ୧୧୦ ଟଙ୍କା ମୁହାଁ ହୋଇଛି ।
@ANI