ନୂଆଦିଲ୍ଲୀ: ଡରାଇଲାଣି ତେଲ ତାତି । ଦେଶରେ ହୁ ହୁ ହୋଇ ବଢୁଛି ତୈଳ ଦାମ । ଲଗାତାର ତୃତୀୟ ଦିନରେ ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବଢିଛି । ଏହି ବୃଦ୍ଧି ସହ ସାରା ଦେଶରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ(IOCL) ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର ପିଛା ୧୦୮.୬୪ ଟଙ୍କା ଏବଂ ଡିଜେଲ ୯୭.୩୭ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ଏହି ତୈଳ ଦର ଯଥାକ୍ରମେ ୧୧୪.୪୭ ଟଙ୍କା ଏବଂ ୧୦୫.୪୯ ଟଙ୍କା ରହିଛି ।
ମହାନଗର ଗୁଡିକରେ ଆଜିର ପେଟ୍ରୋଲ-ଡିଜେଲ ରେଟ୍
ସହର ନାମ | ପେଟ୍ରୋଲ | ଡିଜେଲ |
ଦିଲ୍ଲୀ | 108.64 | 97.37 |
ମୁମ୍ବାଇ | 114.47 | 105.49 |
କୋଲକାତା | 109.02 | 100.49 |
ଚେନ୍ନାଇ | 105.43 | 101.59 |
ଚଳିତ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ରେକର୍ଡ ପରିମାଣର ବୃଦ୍ଧି ଆସିଛି । ଯେଉଁଠି ଦେଶର ପ୍ରମୁଖ ସହରଗୁଡିକରେ ପେଟ୍ରୋଲ ୧୦୦ ଟଙ୍କା ପାର୍ କରିଥିବାବେଳେ ଡିଜେଲ ମଧ୍ୟ ଶତକ ମୁହାଁ ହୋଇଛି । ଶ୍ରୀନଗର ଠାରୁ ଆରମ୍ଭ କରି ଚେନ୍ନାଇ ଯାଏଁ ଅନେକ ସହରରେ ଡିଜେଲ ଦାମ୍ ୧୦୦ ଟଙ୍କା ଉପରେ ରହିଛି ।
କହିରଖୁଛୁ କି, ସ୍ଥାନୀୟ ଟିକସ ଆଧାରରେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଭିନ୍ନ ଭିନ୍ନ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟ ଭିତ୍ତିରେ ପ୍ରତିଦିନ ତୈଳ ଦର ଅପଡେଟ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ