ନୂଆଦିଲ୍ଲୀ: ସମ୍ପ୍ରତ୍ତି ନୂଆ ନୋଟ ଛପିବା ନେଇ ସରକାରଙ୍କର କୌଣସି ଯୋଜନା ନାହିଁ । ଲୋକସଭାରେ ମୌସୁମୀ ଅଧିବେଶନ ମଧ୍ୟରେ ପଚରା ଯାଇଥିବା ଏକ ପ୍ରଶ୍ନର ଏହି ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
କୋଭିଡ ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି । ଏହାକୁ ବିଚାର କରି କେତେକ ଅର୍ଥନୀତି ବିଶେଷଜ୍ଞ ଆର୍ଥିକ ସଙ୍କଟରେ ସୁଧାର ପାଇଁ ସରକାର ନୂଆ ନୋଟ ଛାପିବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ । ବିଶେଷଜ୍ଞଙ୍କ କହିବା କଥା ଦେଶର ଅର୍ଥବ୍ୟବସ୍ଥାକୁ ପୁନର୍ବାର ଟ୍ରାକକୁ ଆଣିବାକୁ ଏବଂ ରୋଜଗାର ସୃଷ୍ଟି କରିବାକୁ ହେଲେ ନୋଟ ଛାପିବାର ଆବଶ୍ୟକତା ରହିଛି ।
ଫାଇନାନସିଆଲ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ସୋମବାର ଲୋକସଭା ଗୃହକାର୍ଯ୍ୟ ମଧ୍ୟରେ ଟିଏମସିର ମାଲା ରାୟ ଅନେକ ଥର ପ୍ରଶ୍ନ କରିଥିଲେ ଯେ, ଆର୍ଥିକ ସଙ୍କଟର ମୁକାବିଲା ପାଇଁ ବର୍ତ୍ତମାନ ସରକାର ନୂଆ ନୋଟ ଛପାଇବାକୁ ଯୋଜନା କରୁଛନ୍ତି କି ? ମାଲାଙ୍କ ଏହି ପ୍ରଶ୍ନରେ ଅର୍ଥମନ୍ତ୍ରୀ ଜବାବ ରଖିଥିଲେ । ମହାମାରୀ ଜନିତ ଲକଡାଉନ ରାଷ୍ଟ୍ର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି । ମାତ୍ର ଏଥିରୁ ବାହାରିବା ପାଇଁ କେନ୍ଦ୍ର ସରକାର ନୋଟ ଛପା ଭଳି କିଛି ଯୋଜନା କରିନାହାନ୍ତି ବୋଲି ନିର୍ମଳା ସୀତାରମଣ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ