ନୂଆଦିଲ୍ଲୀ: ଆମେରିକା ଓ ଚୀନ ଟ୍ରେଡ ୱାର ଫାଇଦା ଭାରତକୁ ନେବା ଦରକାର । ଚୀନ ସହ ବାଣିଜ୍ୟିକ ସମ୍ପର୍କ ମଜଭୁତ କରି ଭାରତ ଲାଭବାନ ହୋଇପାରିବ । କାରଣ ଭାରତ ଏଭଳି ଏକ ଦେଶ, ଯିଏ କି ଚୀନ ବଜାରରେ ଆମେରିକା ସାମଗ୍ରୀର ଆମଦାନୀ ହ୍ରାସର ଫାଇଦା ଭଲ ଭାବେ ଉଠାଇପାରିବ । ଏନେଇ ଚୀନର ଏକ ସରକାରୀ ଖବରକାଗଜରେ ପ୍ରକାଶ ପାଇଛି ।
ଆମେରିକା ଓ ଚୀନ ଟ୍ରେଡ ୱାର ଏବେ ତୀବ୍ର ରୂପ ନେବାରେ ଲାଗିଛି । ଟ୍ରମ୍ପ ସରକାର ଚୀନର 200 ଅରବ ଡଲାର ସମାଗ୍ରୀ ଉପରେ 25 ପ୍ରତିଶତ ଆମଦାନୀ ଶୁକ୍ଲ ଲଗାଇଛି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ବେଲଗାମ ହେଲାଣି ବିଶ୍ବ ବଜାର । ଚୀନ ଓ ଭାରତ ସମେତ ବହୁ ରାଷ୍ଟ୍ରର ସେୟାର ବଜାରରେ ବିପୁଳ ହ୍ରାସ ସହ ନିବେଶକ କୋଟି କୋଟି ଟଙ୍କା ହରାଇଲେଣି ।
ନିକଟରେ ଭାରତ ଓ ଚୀନ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହା ଅନୁଯାୟୀ ଭାରତ ଠାରୁ ଚୀନ କଞ୍ଚା ଲଙ୍କା ଆମଦାନୀ କରିବ । ପୂର୍ବରୁ ଭାରତ ଠାରୁ ତମାଖୁ, ମାଛ ଓ ମାଛତେଲ, ବାସୁମତୀ ଚାଉଳ, ଆମ୍ବ, ଅଙ୍ଗୁର ଓ କଲରା ଆଦି ଚୀନ ଆମଦାନୀ କରୁଥିଲା । ବାଣିଜ୍ୟିକ ମନ୍ତ୍ରଣାଳୟ ବୟାନ ଅନୁଯାୟୀ, 2 ଦେଶ ମଧ୍ୟରେ ବଜାର ସମ୍ଭନ୍ଧୀୟ ବିଷୟ ଉପରେ ଚର୍ଚ୍ଚା ହୋଇଛି । ଚାହିଦା ଅନୁଯାୟୀ ଯୋଗାଣ ଓ ବଜାରରେ ଅଭାବୀ ବିକ୍ରି ଆଦି ସମସ୍ୟାର ଯେପରି ସମାଧାନ କରାଯାଇପାରିବ ସେଥିପାଇଁ ଯୋଜନା ଚାଲିଛି । ଯେପରିକି ବେପାର ସନ୍ତୁଳନ ବଜାୟ ରହିବ ।
ନିକଟରେ ଭାରତ , ଚୀନ ସହିତ 380 ଉତ୍ପାଦ ରପ୍ତାନୀ ନେଇ ବୁଝାମଣା କରିଥିଲା । ଅଧିକ ରପ୍ତାନୀ ଓ ଆମଦାନୀ ଦ୍ବାରା ଚୀନ ସହ ଭାରତର ସମ୍ପର୍କ ଗଢିବା ସହ ବେପାର ଘାଟାକୁ ମଧ୍ୟ ହ୍ରାସ କରାଯାଇପାରିବ ।