ନୂଆଦିଲ୍ଲୀ: ଆମଦାନୀ ହେଉଥିବା ଖେଳନାର ଗୁଣବତ୍ତା ବାଧ୍ୟତାମୂଳକ ଯାଞ୍ଚ ପରେ ହିଁ ଭାରତକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ସେପ୍ଟେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ । କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାଶୱାନ ଏ ନେଇ କହିଛନ୍ତି ।
ସରକାର ଚୀନ ସମେତ ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ଯାଞ୍ଚ କରିବା ପାଇଁ ଷ୍ଟିଲ, ରାସାୟନିକ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ଠାରୁ ଆରମ୍ଭ କରି ଆସବାବପତ୍ର ପର୍ଯ୍ୟନ୍ତ 371 ଟାରିଫ ଲାଇନଗୁଡିକ ପାଇଁ ଗୁଣାତ୍ମକ ମାନକୁ ବାଧ୍ୟତାମୂଳକ କରିବା ପ୍ରକ୍ରିୟାରେ ଅଛନ୍ତି ।
ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ହେଉଛି ସରକାରଙ୍କ ମୁଖ୍ୟ ଏଜେନ୍ସି ଯାହା ସଂପୃକ୍ତ ମନ୍ତ୍ରଣାଳୟର ସମନ୍ୱୟରେ ଗୁଣାତ୍ମକ ମାନ ପ୍ରସ୍ତୁତ କରିଥାଏ ।
ପାଶୱାନ ଗଣମାଧ୍ୟମକୁ କହିଛନ୍ତି ଯେ ଖେଳନା ପାଇଁ ବାଧ୍ୟତାମୂଳକ ଗୁଣବତ୍ତା ନିୟନ୍ତ୍ରଣମାନକ (QCS) ସେପ୍ଟେମ୍ବର 1 ରୁ କାର୍ଯ୍ୟକାରୀ ହେବ। ଆମଦାନୀ ନମୁନା ସଂଗ୍ରହ କରିବା ଏବଂ ଗୁଣାତ୍ମକ ଯାଞ୍ଚ କରିବା ପାଇଁ ପ୍ରମୁଖ ବନ୍ଦରରେ ବିଏସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ।
ସେ କହିଛନ୍ତି ଯେ ଖେଳନା ବ୍ୟତୀତ ଷ୍ଟିଲ, ରାସାୟନିକ ପଦାର୍ଥ, ବୈଦ୍ୟୁତିକ ସାମଗ୍ରୀ ଏବଂ ଭାରୀ ଯନ୍ତ୍ରପାତି ତଥା ପ୍ୟାକେଜ୍ଡ ୱାଟର ଏବଂ ଦୁଗ୍ଧଜାତ ଦ୍ରବ୍ୟ ଭଳି ଖାଦ୍ୟ ସାମଗ୍ରୀ ପାଇଁ QCS ହେବା ପ୍ରକ୍ରିୟାରେ ଅଛି ।
ବିଏସ ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀଙ୍କ ଅନୁଯାୟୀ, ପ୍ରତ୍ୟେକ ଉତ୍ପାଦ ପାଇଁ QCS କାର୍ଯ୍ୟକାରୀ କରିବା ସମ୍ପୃକ୍ତ ମନ୍ତ୍ରଣାଳୟ ଦ୍ୱାରା କରାଯାଉଛି। ଉଦାହରଣ ସ୍ୱରୂପ, ସୁନା ପାଇଁ ବାଧ୍ୟତାମୂଳକ ମାନକ 2021 ଜୁନରୁ ପ୍ରଯୁଜ୍ୟ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 268 ମାନକ ବାଧ୍ୟତାମୂଳକ ଏବଂ ଅନେକ ପାଇପଲାଇନରେ ଅଛନ୍ତି ।