ନୂଆଦିଲ୍ଲୀ: କୋରୋନା ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଥିବା 6.29 ଲକ୍ଷ କୋଟିର ଆର୍ଥିକ ରିଲିଫ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଗା ଆର୍ଥିକ ପ୍ୟାକେଜର ଘୋଷଣା କରିଥିଲେ । ଆଉ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ବ୍ୟୟବରାଦକୁ ଅନୁମୋଦନ କରାଯାଇଛି ।
କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ , ଆଜି ବସିଥିବା କ୍ୟାବିନେଟ ବୈଠକରେ କୋଭିଡ୍ -19 ପ୍ରଭାବିତ ସେକ୍ଟର ପାଇଁ ନିକଟରେ ଘୋଷିତ ରିଲିଫ ପଦକ୍ଷେପ ପାଇଁ ଗ୍ରୀନ ସିଗନାଲ ଦିଆଯାଇଛି ।
କୋଭିଡ -19 ପ୍ରଭାବରେ ନଇଁ ପଡିଥିବା ଅର୍ଥନୀତିକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ସୀତାରମଣ ସୋମବାର ପର୍ଯ୍ୟଟନ, କୃଷି, ଏମଏସଏମଇ, ବିଦ୍ୟୁତ ବିତରଣ ଏବଂ ରପ୍ତାନି ଭଳି କ୍ଷେତ୍ରର ପୁନରୁଦ୍ଧାର ପାଇଁ ଏକ ରିଲିଫ ପ୍ୟାକେଜ ଆଣିଥିଲେ । ଏଥିରେ କେତେକ ପୁରୁଣା ଯୋଜନାର ସମ୍ପ୍ରସାରଣ ହୋଇଥିଲା ବେଳେ କିଛି ନୂଆ ଯୋଜନା ଅଣାଯାଇଛି ।
ଏହା ବ୍ୟତୀତ ମନ୍ତ୍ରୀ ସମଗ୍ର ଦେଶରେ ଡାକ୍ତରଖାନାରେ ଶିଶୁଙ୍କ ରୋଗ ଚିକିତ୍ସା ପାଇଁ ଶଯ୍ୟା ଏବଂ ସୁବିଧା ସ୍ଥାପନ ପାଇଁ 23,220 କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥକୁ ମଞ୍ଜୁରର କାରଣ କି ତୃତୀୟ COVID ଲହର ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ।
ଆଉ ଏକ ପ୍ରମୁଖ ବୁଷ୍ଟରରେ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ପାଇଁ ଦେଶର 16 ଟି ରାଜ୍ୟରେ ଥିବା 2 ଲକ୍ଷରୁ ଅଧିକ ଗାଁକୁ ଆଚ୍ଛାଦନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ସରକାରୀ ବେସରକାରୀ ଭାଗିଦାରୀ (ପିପିପି) ମଡେଲ ମାଧ୍ୟମରେ ଭାରତନେଟ କାର୍ଯ୍ୟକାରିତା ରଣନୀତିକୁ ଅନୁମୋଦନ କରିଛି ।