ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟର ବ୍ୟୁରୋକ୍ରାଟିକରେ ବଡ ଧରଣର ଅଦଳବଦଳ । ଆର୍ଥିକ ବ୍ୟାପାର ସଚିବ ତରୁଣ ବଜାଜଙ୍କୁ ରାଜସ୍ବ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବେଙ୍ଗାଲୁରୁ ମେଟ୍ରୋ ରେଲ କର୍ପୋରେସନର ଏମଡି ଅଜୟ ସେଠଙ୍କୁ ନୂଆ ଆର୍ଥିକ ବ୍ୟାପାର ସଚିବ ଭାବେ ଦାୟିତ୍ବ ଦିଆଯାଇଛି । ସେ ଏବେ ତରୁଣ ବଜାଜଙ୍କ ସ୍ଥାନ ନେବେ ।
କ୍ୟାବିନେଟର ନିଯୁକ୍ତି କମିଟିର ମଞ୍ଜୁରୀ ମିଳିବା ପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଆଜି ଅନେକ ବ୍ୟୁରୋକ୍ରାଟଙ୍କ ଅଦଳବଦଳ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରକାଶ କି ତରୁଣ ବଜାଜ 2020 ଏପ୍ରିଲ 30 ରୁ ଆର୍ଥିକ ବ୍ୟାପାର ସଚିବଙ୍କ ପଦ ସମ୍ଭାଳୁଛନ୍ତି । ଆତ୍ମନିର୍ଭର ଭାରତ ପ୍ୟାକେଜରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।
ତରୁଣ ବଜାଜ ଆର୍ଥିକ ବର୍ଷ 2021-22 ପାଇଁ ସାଧାରଣ ବଜେଟ ପ୍ରସ୍ତୁତ କରିବାରେ ଅର୍ଥମନ୍ତ୍ରୀଙ୍କ କୋର ଟିମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଏହା ପୂର୍ବରୁ 2015 ଏପ୍ରିଲରୁ 2020 ଯାଏଁ ସେ ପିଏମଓରେ ସେବା ପ୍ରଦାନ କରିଛନ୍ତି । 1988 ବ୍ୟାଚ ହରିୟାଣା କ୍ୟାଡରର ଆଇଏଏସ ଅଫିସର ସେ ।
ସେପଟେ ଅଜୟ ସେଠ 1987 ବ୍ୟାଚର କର୍ଣ୍ଣାଟକ କ୍ୟାଡରର ଆଇଏଏସ ଅଫିସର । ସେ 2008 ରେ ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସରେ ମ୍ୟାନେଜିଂ ଡାରେକ୍ଟର ଦାୟିତ୍ବ ସମ୍ଭାଳୁଛନ୍ତି । ଏହା ପୂର୍ବରୁ ଅଜୟ ସେଠ 4 ବର୍ଷ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କରେ ପରାମର୍ଶଦାତା ଭାବେ ସେବା ପ୍ରଦାନ କରୁଥିଲେ ।