ନୂଆଦିଲ୍ଲୀ: ଋଣ ସ୍ଥଗିତାଦେଶ ମାମଲାରେ କେନ୍ଦ୍ର ସରକାର ଓ ଆରବିଆଇ ଦ୍ବାରା ଦାଖଲ ପ୍ରତିକ୍ରିୟା ଉପରେ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । କାରଣ ଜବାବରେ କାମଥ କମିଟିର ସୁପାରିଶ ଓ ତା ଉପରେ କାର୍ଯ୍ୟନୁଷ୍ଠାନକୁ ସାମିଲ କରାଯାଇନାହିଁ । ଏଣୁ ଶୀର୍ଷ ଅଦାଲତ କାମଥ କମିଟିର ସୁପାରିଶ ଉପରେ କେନ୍ଦ୍ର ଠାରୁ ‘ସ୍ପେଶିଫିକ’ ଜବାବ ମାଗିଛନ୍ତି ।
ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏବେ କେନ୍ଦ୍ରକୁ କାମଥ କମିଟିର ସୁପାରିଶର କାର୍ଯ୍ୟକାରିତାକୁ ସ୍ପଷ୍ଟ କରିବା ପ୍ରସଙ୍ଗରେ ଏକ ଅତିରିକ୍ତ ଆଫିଡେଭିଟ ଦାଖଲ ପାଇଁ ସପ୍ତାହେ ସମୟ ଦେଇଛି | ବେଞ୍ଚ କହିଛନ୍ତି ଯେ କାମଥ କମିଟିର ସୁପାରିଶ ପୂର୍ବରୁ ମଧ୍ୟ ପାଳନ କରାଯାଇ ନାହିଁ ।
ତେବେ ଆରବିଆଇର ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡଭୋକେଟ ଭି.ଭି. ଗିରି କହିଛନ୍ତି ଯେ, ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନିଆଯାଇଛି ଏବଂ ସରକାର କ୍ଷୁଦ୍ର ଋଣଗ୍ରହୀତାଙ୍କୁ ହ୍ୟାଣ୍ଡ ହୋଲ୍ଡିଂର ଆଶ୍ବସନା ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟଳୟ ଜୋର ଦେଇ କହିଛନ୍ତି କି ଆରବିଆଇ ସେହି ସୁପାରିଶକୁ ସାର୍ବଜନୀକ କରିବା ଦରକାର , ଯାହାକୁ ସ୍ବୀକାର କରାଯାଇଛି । ତେବେ ଖଣ୍ଡପୀଠ ଏହି ମାମଲାର ଆସନ୍ତା ଶୁଣାଣୀ ଆସନ୍ତା 13 କୁ ନିର୍ଦ୍ଧାରଣ କରିଛି ।
କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କୁହାଯାଇଛି କି , ଲକଡାଉନ କାଳରେ ଘୋଷିତ 6 ମାସିଆ ଋଣ ସ୍ଥଗିତାଦେଶ ଅବଧି ପାଇଁ ସୁଧ ଉପରେ ସୁଧ ଲାଗୁ ହେବ ନାହିଁ । ଏହାକୁ ଛାଡ କରାଯିବ । ତେବେ 2 କୋଟି ଟଙ୍କା ପର୍ଯ୍ୟନ୍ତ ବକେୟା ଋଣ ଉପରେ ଏହି ଚକ୍ରବୃଦ୍ଧି ସୁଧ ଛାଡ ହେବ । ତେବେ ଏହି ଅର୍ଥବୋଝକୁ ସରକାର ଉଠାଇବେ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ପ୍ରକାଶ ଯେ, ଗତ ସପ୍ତାହରେ ସୁପ୍ରିମକୋର୍ଟ ଲୋନ ମୋରାଟୋଲିୟମ ଅବଧିରେ ଋଣ ଉପରେ ଚକ୍ରବୃଦ୍ଧି ସୁଧ ବିରୋଧରେ ଜାରି ଜନହିତ ଯାଚିକା ଉପରେ ଶୁଣାଣୀ ଅକ୍ଟୋବର 5 ଅର୍ଥାତ ଆଜି ପାଇଁ ସ୍ଥଗିତ କରିଥିଲେ ।