ନୂଆଦିଲ୍ଲୀ: ଭୂତାଣୁ ବିଭିଷୀକା ମଧ୍ୟରେ ଅର୍ଥନୀତି ସହିଲାଣି ପ୍ରବଳ କ୍ଷତି । ଆୟ ନଥିବା ବେଳେ ବିଭିନ୍ନ ରିଲିଫ ପଦକ୍ଷେପ ପାଇଁ ସରିଚାଲିଛି ସରକାରୀ ପାଣ୍ଠି । ଏଭଳି ସଙ୍କଟାପନ୍ନ ସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ 99,122 କୋଟି ଟଙ୍କା ଦେବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ।
ଗତ ଆର୍ଥିକ ବର୍ଷର 9 ମାସ (2020ଜୁଲାଇରୁ 2021 ମାର୍ଚ୍ଚ) ର ଆକାଉଣ୍ଟିଂ ଅବଧି ପାଇଁ କେନ୍ଦ୍ର ସରକାରଙ୍କୁ 99,122 କୋଟି ଟଙ୍କା ଲାଭାଂଶ ଦେବାକୁ ମଞ୍ଜୁରୀ ଦେଇଛି ଆରବିଆଇ ବୋର୍ଡ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ରୀୟ ବୋର୍ଡର 589 ତମ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଅନୁଯାୟୀ ଆରବିଆଇର ବଳାକା ପାଣ୍ଠି (ସରପ୍ଲସ ଫଣ୍ଡ)ରୁ ସରକାରଙ୍କୁ ଟଙ୍କା ସ୍ଥାନାନ୍ତରଣ ନିର୍ଣ୍ଣୟ ନିଆଯାଇଛି । ଆରବିଆଇର ଏହି ଆର୍ଥିକ ଡୋଜ ସମ୍ପୁର୍ଣ୍ଣ ଖର୍ଚ୍ଚ ତୁଲାଇବାକୁ ଯଥେଷ୍ଟ ହୋଇନଥିଲେ ବି ଏହା କିଛିଟା ଉପଶମ ଦେବ ।
ଅର୍ଥବ୍ୟବସ୍ଥା ଉପରେ କୋଭିଡ19 ପ୍ରଭାବ ଓ ବର୍ତ୍ତମାନ ସ୍ଥିତି ଏବଂ ପୁଞ୍ଜି ବଜାରରେ ଦେଖାଦେଇଥିବା ଚ୍ୟାଲେଞ୍ଜ ଉପରେ ଚର୍ଚ୍ଚା ବିମର୍ଷ ହୋଇଛି । ଏଥିସହ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ନୀତିଗତ ଉପାୟର ସମୀକ୍ଷା ହୋଇଛି । ଏହା ବ୍ୟତିତ ଆରବିଆଇ ବୋର୍ଡ ଜରୁରୀକାଳୀନ ରିସ୍କ ବଫର(Contingency Risk Buffer )କୁ 5.5 ପ୍ରତିଶତରେ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶ ଯେ, 2001-02 ରେ 10,320 କୋଟି ଟଙ୍କା ସରପ୍ଲସ ଦିଆଯାଇଥିବା ବେଳେ 20 ବର୍ଷରେ ଏହା ବୃଦ୍ଧି ହୋଇ ପ୍ରାୟ 1 ଲକ୍ଷ କୋଟି ଟଙ୍କାରେ ପହଞ୍ଚିସାରିଛି ।
କେନ୍ଦ୍ରକୁ ମିଳିଥିବା ସରପ୍ଲସ ବଢିଛି
ଆରବିଆଇ ସମ୍ପୁର୍ଣ୍ଣ ରୂପେ କେନ୍ଦ୍ର ମାଲିକାନାରେ ରହିଛି । ଯେଉଁଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ, 1934 କେନ୍ଦ୍ରୀୟ ବ୍ୟାଙ୍କକୁ ବଳକା ଲାଭ ବା ଲାଭାଂଶ କେନ୍ଦ୍ର ସରକାରଙ୍କୁ ସ୍ଥାନାନ୍ତରଣ କରିବା ବାଧ୍ୟତାମୂଳକ ରହିଛି ।
ପ୍ରତ୍ୟେକ ଆର୍ଥିକ ବର୍ଷର ଖାତାର ସମୀକ୍ଷା କରିବା ପରେ ଆରବିଆଇ ଲାଭାଂଶର ଘୋଷଣା କରିଥାଏ । କୌଣସି ନିର୍ଦ୍ଧାରିତ ବର୍ଷରେ ବ୍ୟାଙ୍କ କେତେ ଟଙ୍କା କମେଇଲା ଓ ବ୍ୟାଙ୍କ କେତେ ଆକସ୍ମିକ ବା ଜୁରୀକାଳୀନ ରିଜର୍ଭ ରଖିବା ଦରକାର । ଲାଭାଂଶ ରାଶି ବାଧ୍ୟତାମୂଳକ ଭାବେ ଏହି 2 ଟି ତତ୍ବ ଉପରେ ନିର୍ଭରଶୀଳ ।
କେନ୍ଦ୍ରକୁ ଅଧିକ ଲାଭାଂଶ ପାଇଁ ଆରବିଆଇର ଦାବି ବଢିବା ସହିତ ବ୍ୟାଙ୍କ ଜରୁରୀକାଳୀନ ଭଣ୍ଡାର(emergency reserves)ର ଆଦର୍ଶ ଆକାର ସ୍ଥିର କରିବାକୁ ପର୍ଯ୍ୟାୟକ୍ରମେ ବିଶେଷଜ୍ଞ କମିଟି ଗଠନ କରିଥିଲା । ଦୁଇ ଦଶନ୍ଧି ମଧ୍ୟରେ ଭି ସୁବ୍ରମଣ୍ୟମ (1997), ଉଷା ଥୋରାଟ (2004), YH ମାଲେଗାମ (2014), ଏବଂ ବିମଲ ଜାଲାନ (2018) ଭଳି ବିଶେଷଜ୍ଞଙ୍କ ଅଧ୍ୟକ୍ଷତାରେ ଏହିପରି ଚାରୋଟି କମିଟି ଗଠନ କରାଯାଇଥିଲା ।
ସୁବ୍ରମଣ୍ୟମ କମିଟି ଏହାର ପରାମର୍ଶରେ 12 ପ୍ରତିଶତ ଆକସ୍ମିକ ରିଜର୍ଭ ସୃଷ୍ଟି କରିବାକୁ ଆରବିଆଇକୁ ସୁପାରିଶ କରିଥିବାବେଳେ ଥୋରାଟ ପ୍ୟାନେଲ ପରାମର୍ଶ ଦେଇଛି ଯେ ଏହାକୁ କେନ୍ଦ୍ରୀୟ ବ୍ୟାଙ୍କର ମୋଟ ସମ୍ପତ୍ତିର 18 ପ୍ରତିଶତରୁ ଅଧିକ ରହିବା ଜରୁରୀ । ତେବେ ଆରବିଆଇ ବୋର୍ଡ ଥୋରାଟ କମିଟିର ସୁପାରିଶକୁ ଗ୍ରହଣ କରିନଥିଲା ଏବଂ ସୁବ୍ରମଣ୍ୟମ କମିଟିର ସୁପାରିଶ ଅନୁଯାୟୀ 12 ପ୍ରତିଶତ ରିଜର୍ଭ ଜାରି କରିବାକୁ ନିଷ୍ପତ୍ତି ନେଇଥିଲା ।
ପରେ, 2014 ମସିହାରେ, ମାଲେଗାମ କମିଟି କହିଛି ଯେ, ଆରବିଆଇ ଏହାର ଲାଭର ବହୁ ପରିମାଣର ରାଶି ବାର୍ଷିକ ଜରୁରୀକାଳୀନ ରିଜର୍ଭକୁ ସ୍ଥାନାନ୍ତର କରିବା ଉଚିତ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ଉଲ୍ଲେଖ କରିନାହିଁ ।
ଶେଷରେ ସବୁଠୁ ସର୍ବଶେଷ ସଦ୍ୟ କମିଟି, ବିମଲ ଜଲାନ କମିଟି ଆରବିଆଇର ବାଲାନ୍ସ ସିଟର 6.5 ପ୍ରତିଶତର 5.5 ପ୍ରତିଶତ ପର୍ଯ୍ୟନ୍ତ ଏମର୍ଜନ୍ସି ରିଜର୍ଭ ବଜାୟ ରଖିବାକୁ ସମର୍ଥନ କରିଥିଲା । ଯାହା ଫଳରେ କେନ୍ଦ୍ରକୁ ଏକ ପ୍ରମୁଖ ସ୍ଥାନାନ୍ତର କରାଯାଇଥିଲା ।
10,000 କୋଟି ଟଙ୍କାରୁ 1 ଲକ୍ଷ କୋଟି ଟଙ୍କା ଯାଏ
ଆରବିଆଇ ତଥ୍ୟ ଅନୁଯାୟୀ, ବିଭିନ୍ନ କମିଟିର ସୁପାରିଶକୁ ଭିତ୍ତି କରି ବ୍ୟାଙ୍କ କେନ୍ଦ୍ରକୁ ଅଧିକ ଅର୍ଥ ହସ୍ତାନ୍ତର କରିଛି । ଯାହା କି 2001-02 ମସିହାର 10,000 କୋଟିରୁ ଗତ ଆର୍ଥିକ ବର୍ଷରେ ପ୍ରାୟ 1 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଉଦାହରଣ ସ୍ବରୂପ, ମାଲେଗାମ ପ୍ୟାନେଲର ସୁପାରିଶକୁ ଅନୁସରଣ କରି କେନ୍ଦ୍ରୀୟ ବ୍ୟାଙ୍କ 2013-14 ପାଇଁ 52,679 କୋଟି ଟଙ୍କାର ଲାଭାଂଶ ଟ୍ରାନ୍ସଫର ଅନୁମୋଦନ କରିଛି । ଗତ ବର୍ଷର ଟ୍ରାନ୍ସଫର ତୁଳନାରେ 60 ପ୍ରତିଶତ ଅଧିକ।
ଏଭଳି ଭାବେ 2018-19 ପାଇଁ, ବ୍ୟାଙ୍କ ଦ୍ବାରା ଜାଲାନ ପ୍ୟାନେଲର ସୁପାରିଶକୁ ଗ୍ରହଣ କରିବା ପରେ, ଟ୍ରାନ୍ସଫର ପରିମାଣ 1,75,987 କୋଟିରେ ପହଞ୍ଚିଥିଲା । ଯେଉଁଥିରେ ବର୍ଷକ ପାଇଁ 1,23,350 କୋଟି ଟଙ୍କାର ବଳକା ପାଣ୍ଠି ଏବଂ 52,637 କୋଟି ଟଙ୍କା ଅତିରିକ୍ତ ଟ୍ରାନ୍ସଫର ହୋଇଛି । ପ୍ୟାନେଲର ପରାମର୍ଶ ଅନୁଯାୟୀ ଚିହ୍ନଟ ହୋଇଥିବା ଅତିରିକ୍ତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆରବିଆଇ ଦ୍ବାରା , ଏହା ଏକ ବର୍ଷ ମଧ୍ୟରେ ସରକାରଙ୍କୁ ସର୍ବାଧିକ ସ୍ଥାନାନ୍ତର ।
ସେହିଭଳି ଶୁକ୍ରବାର ଅନୁମୋଦନ ହୋଇଥିବା 99,122 କୋଟି ଟଙ୍କା ଦ୍ବିତୀୟ ସର୍ବାଧିକ ହସ୍ତାନ୍ତରଣ ।
ଆରବିଆଇ ସରପ୍ଲସ କାହିଁକି ସରକାରଙ୍କୁ ଟ୍ରାନ୍ସଫର କରିଥାଏ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଧିନିୟମ 1934 ନିୟମ ଅନୁଯାୟୀ, ବ୍ରିଟିଶ ଶାସନ ସମୟରେ 1 ଏପ୍ରିଲ 1935 ରେ ଆରବିଆଇ ପ୍ରତିଷ୍ଠା କରାଯାଇଥିଲା । ତେବେ ସ୍ଥାପନା ସମୟରେ ଘରୋଇ ହାତରେ ରହିଥିବା ରିଜର୍ଭ ବ୍ୟାଙ୍କ 1949 ରେ ଜାତୀୟକରଣ ପରେ ସମ୍ପୁର୍ଣ୍ଣ ଭାବେ ଭାରତର ମାଲିକାନାରେ ରହିଲା । ଯେଉଁଥିପାଇଁ ଆରବିଆଇ ଅଧିନିୟମ 1934 ବ୍ୟାଙ୍କକୁ ବଳକା ଲାଭ କେନ୍ଦ୍ରକୁ ହସ୍ତାନ୍ତରିତ କରିବା ଆଦେଶ ଦେଇଥାଏ ।
ଅଧିନିୟମର ଧାତା 47 ରେ କୁହାଯାଇଛି କି, ଖରାପ ଏବଂ ସନ୍ଦେହଜନକ ଋଣ ପାଇଁ ସମ୍ପତ୍ତିର ମୂଲ୍ୟହ୍ରାସ, କର୍ମଚାରୀଙ୍କ ଯୋଗଦାନ ଓ ଅବସର ପାଣ୍ଠି ପାଇଁ ବ୍ୟବସ୍ଥା କରିବା ପରେ ସାଧାରଣତଃ ବ୍ୟାଙ୍କର ଦ୍ବାରା ପ୍ରଦାନ କରାଯାଉଛି । ଲାଭର ବାଲାନ୍ସ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ।
ବିଶେଷ କରି ସେହି ଅଧିନିୟମର ଧାରା 48 ଅନୁସାରେ ରିଜର୍ଭ ବ୍ୟାଙ୍କ ଏହାର କୌଣସି ମଧ୍ୟ ଆୟ, ଲାଭ ବା ଲାଉ ଉପେର ଆୟକର ବା ସୁପର ଟ୍ୟାକ୍ସର ପେମେଣ୍ଟ କରିବା ପାଇଁ ଉତ୍ତରଦାୟୀ ନୁହେଁ ।
ଆରବିଆଇ ସରପ୍ଲସ କଣ
ରିଜର୍ଭ ବ୍ୟାଙ୍କର ଆୟରେ କୌଣସି ପ୍ରକାର କର ଦେବାକୁ ପଡିନଥାଏ । ଆରବିଆଇ ଯାହା ଆୟ କରେ ସେଥିରୁ ତାର ଆବଶ୍ୟକତା ଖର୍ଚ୍ଚ , ନିବେଶ ପରେ ଯାହା ଟଙ୍କା ବଳକା ହୁଏ ତାକୁ ସରପ୍ଲସ ଫଣ୍ଡ କୁହାଯାଏ । ଏହା ଏକ ପ୍ରକାର ପ୍ରଫିଟ ମଧ୍ୟ । ଏଣୁ ଏହାକୁ ଆରବିଆଇର ଲାଭାଂଶ ମଧ୍ୟ କୁହାଯାଏ । ଯାହାର ଏକ ବଡ ଭାଗ ଆରବିଆଇ ସରକାରଙ୍କୁ ଦେଇଥାଏ । ଆଉ ବାକୁ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପାଖରେ ରଖିଥାଏ ।