ମୁମ୍ବାଇ: ଏଚଡିଏଫସି ବ୍ୟାଙ୍କର ଆଦିତ୍ୟ ପୁରୀଙ୍କ ଉତ୍ତରାଧିକାରୀ ଭାବରେ ଶଶୀଧର ଜଗଦୀଶନ(Sashidhar Jagdishan )ଙ୍କ ନାମ ସ୍ଥିର କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଘରୋଇ କ୍ଷେତ୍ରର ଏଚଡିଏଫସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମଡି) ପଦ ପାଇଁ ଜଗଦୀଶନଙ୍କ ନାଁ କୁ ମଞ୍ଜୁରୀ ଦେଇଛି । ମଙ୍ଗଳବାର 2ଟି ସୂତ୍ରରୁ ଏନେଇ ସୁନିଶ୍ଚିତ କରାଯାଇଛି ।
ଜଗଦୀଶନଙ୍କ ବର୍ତ୍ତମାନ ଘରୋଇ କ୍ଷେତ୍ରର ସବୁଠୁ ବଡ ବ୍ୟାଙ୍କରେ ‘ଚେଞ୍ଜ ଏଜେଣ୍ଟ’ ତଥା ଆର୍ଥିକ ବିଭାଗର ପ୍ରମୁଖ ଅଛନ୍ତି । ସେ 1996 ରେ ଏଚଡିଏଫସି ବ୍ୟାଙ୍କ ସହ ଯୋଡି ହୋଇଥିଲେ । ତେବେ ପୁରୀଙ୍କ ପରେ ତାଙ୍କ ପଦବୀରେ କାହାକୁ ନିଯୁକ୍ତି ଦିଆଯିବ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇଥିଲା । ତେବେ ଜଗଦୀଶନ ଏହି ଦାୟିତ୍ବ ସମ୍ଭାଳିବା ପରେ ଏହି ଚର୍ଚ୍ଚାରେ ବିରାମ ଲାଗିବ ।
ପୁରୀ ଅକ୍ଟୋବର 20ରେ ଅବସର ନେବେ । ଗତ 25 ବର୍ଷ ମଧ୍ୟପେ ବ୍ୟାଙ୍କ ବହୁତ ଉନ୍ନତି କରିବା ସହ ସମ୍ପତ୍ତି କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବବୃହତ୍ତ ବ୍ୟାଙ୍କ ଭାବେ ମାନ୍ୟତା ପାଇଛି । ଆଉ ଏହାର ଶ୍ରେୟ ପୁରୀଙ୍କୁ ଯାଉଛି ।
ଅଗ୍ରାଧିକାର ଭିତ୍ତିରେ ରିଜର୍ଭ ବ୍ୟାଙ୍କକୁ କିଛି ପ୍ରାର୍ଥୀଙ୍କ ତାଲିକା ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ସୋମବାର ସନ୍ଧ୍ୟାରେ ଜଗଦୀଶନଙ୍କ ନାମ ରିଜର୍ଭ ବ୍ୟାଙ୍କ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କର ଅନୁମୋଦନ ବିଷୟରେ ଏଚଡିଏଫସି ବ୍ୟାଙ୍କ ବର୍ତ୍ତମାନ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇବ ।