ନୂଆଦିଲ୍ଲୀ: ରେଳବାଇର ଭିତ୍ତିଭୂମି ଘରୋଇକରଣ ନେଇ ରହିଥିବା ଦ୍ବନ୍ଦକୁ ନେଇ ସ୍ପଷ୍ଟ କରିଛନ୍ତି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ । କହିଲେ ରେଲୱେ ସମ୍ପତ୍ତିର ଘରୋଇକରଣ ହେବନି, କିନ୍ତୁ ଏହାର ଯୋଜନା ବିକାଶକୁ ଗତି ଦେବା ପାଇଁ ଆସେଟ ମୁଦ୍ରୀକରଣ ( ମନିଟାଇଜେସନ) ହେବ । ଏ ନେଇ ଶୁକ୍ରବାର ରାଜ୍ୟସଭାରେ ଜବାବ ରଖିଛନ୍ତି ଗୋୟଲ ।
ସେ କହିଛନ୍ତି କି, ସାର୍ବଜନୀକ ଘରୋଇ ସହଭାଗୀତା (ପିପିପି) ଜରିଆରେ ଆରମ୍ଭ କରାଯାଇଥିବା ପାସେଞ୍ଜର ଟ୍ରେନ ପରିଚାଳନା କରାଯିବ । ଏହା ଦ୍ବାରା ପ୍ରାୟ 30,000 କୋଟି ଟଙ୍କାର ମୋଟ ନିବେଶ ଲକ୍ଷ୍ୟ ରଖାଯାଇଛି । ରାଜ୍ୟସଭା ପ୍ରଶ୍ନକାଳ ସମୟରେ ପଚରାଯାଇଥିବା ପ୍ରଶ୍ନର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି ।
ରେଳବାଇ ନିଜ ସମ୍ପତ୍ତିର ମୁଦ୍ରୀକରଣ ଯୋଜନା କରିଛି । ଏଥିରେ ପୂର୍ବାଞ୍ଚଳ ଏବଂ ପାଶ୍ଚାତ୍ୟ ମାଲ ପରିବହନ କରିଡରଗୁଡିକ କାର୍ଯ୍ୟକ୍ଷମ, ପିପିପି ଅଧିନରେ ଷ୍ଟେସନର ପୁର୍ନବିକାଶ, ରେଳୱେ କଲୋନୀ , ହିଲ ରେଲୱେ ଓ ଷ୍ଟାଡିଅମ ସାମିଲ ଅଛି ।
ସେ କହିଛନ୍ତି କି ସମ୍ପତ୍ତିର ମୁଦ୍ରୀକରଣ ଦ୍ବାରା ଭିତ୍ତିଭୂମି ସଂରଞ୍ଚନା ନିର୍ମାଣ ପାଇଁ ଅଧିକ ସମ୍ପତ୍ତି ଏକତ୍ରରେ ସହଯୋଗ ମିଳିବ । ସମ୍ପତ୍ତିର ମୁଦ୍ରୀକରଣ ଅର୍ଥ ସେମାନଙ୍କ ଘରୋଇକରଣ ନୁହେଁ ବରଂ ଉଭୟରେ ପାର୍ଥକ୍ୟ ରହିଛି । ଘରୋଇକରଣ ସ୍ଥିତିରେ ସମ୍ବନ୍ଧିତ ସମ୍ପତ୍ତିର ସ୍ବାମିତ୍ବ ସରକାରଙ୍କ ପାଖରେ ନ ରହିବା ହେଲେ ମୁଦ୍ରୀକରଣ ପରେ ମଧ୍ୟ ସମ୍ପତ୍ତିର ସ୍ବାମିତ୍ବ ରେଳୱେ ପାଖରେ ହିଁ ରହିବ ।