ନୂଆଦିଲ୍ଲୀ: ବଢୁଛି ବ୍ୟାଙ୍କ ଠକେଇ । ଚଳିତ ଆର୍ଥିକ ବର୍ଷର ପ୍ରଥମ 6 ମାସରେ 95,700 କୋଟି ଟଙ୍କା ଘୋଟାଲା ହୋଇଥିବା ନେଇ 5743ଟି ମାମଲା ରୁଜୁ ହୋଇଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିବା ନେଇ ମଙ୍ଗଳବାର ସଂସଦରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
ସାର୍ବଜନୀନ ବ୍ୟାଙ୍କ (ପିଏସବି) ଦେଇଥିବା ତଥ୍ୟ ଅନୁଯାୟୀ, ଏପ୍ରିଲ ପହିଲାରୁ ସେପ୍ଟମ୍ବର 30 ଭିତରେ ଏହି ସବୁ ଜାଲିଆତି ମାମଲା ରୁଜୁ ହୋଇଛି। ଏକ ଲିଖିତ ଉତ୍ତର ଦେଇ ଗୃହରେ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ଯେ, 3.38 ଲକ୍ଷ ନିଷ୍କ୍ରିୟ କମ୍ପାନୀଙ୍କ ବ୍ୟାଙ୍କ ଖାତା ଉପରେ କଟକଣା ଲଗାଇବା ପାଇଁ ବହୁ ଉପାୟ ପ୍ରସ୍ତୁତ ହୋଇଛି। ଏହା ସହ ବ୍ୟାଙ୍କ ଠକେଇ ମାମଲା ଯେପରି ରୋକା ଯାଇପାରିବ ସେଥିଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।
ଏହାମଧ୍ୟରେ, ଏକ ଅନ୍ୟ ପ୍ରଶ୍ନ ଉତ୍ତରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପଞ୍ଜାବ ଓ ମହାରାଷ୍ଟ୍ର କୋଅପରେଟିଭ (ପିଏମସି) ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ସୀମା 50 ହଜାରକୁ ବୃଦ୍ଧି କରାଯାଇଛି । ଫଳରେ 78 ପ୍ରତିଶତ ଜମାକର୍ତ୍ତା ସେମାନଙ୍କ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇଛନ୍ତି।