ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ସହ ଏବେ ବଢିବ ବିସ୍କୁଟ ଦାମ । କଞ୍ଚାମାଲ ମହଙ୍ଗା ଓ ଜିଏସଟି ସ୍ଲାବର ଚାପ ଯୋଗୁଁ ଦେଶର ବଡ ବିସ୍କୁଟ କମ୍ପାନୀ ପାର୍ଲେ ଓ ବ୍ରିଟାନିଆ ବିସ୍କୁଟର ଦାମ 6 ପ୍ରତିଶତ ପର୍ଯ୍ୟନ୍ତ ବଢିବ । ତେବେ ମୂଳ ଉପାଦନ ଦରକୁ ସମୀକ୍ଷା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସ(ଜାନୁଆରୀ-ମାର୍ଚ୍ଚ)ରୁ ସଂଶୋଧିତ ଦର ଲାଗୁ ହେବ । ପାର୍ଲେ-ଜି ବ୍ରାଣ୍ଡର କମ୍ପାନୀ ପାର୍ଲେ ପ୍ରଡକ୍ସନ ତାର ବିସ୍କୁଟ ଦାମ 5ରୁ 6 ପ୍ରତିଶତ ବଢାଇପାରେ । ସେହିପରି ପ୍ରତିଦ୍ବନ୍ଦୀ କମ୍ପାନୀ ବ୍ରିଟାନିଆ ଏହାର ବିସ୍କୁଟ ବ୍ରାଣ୍ଡରେ 3 ପ୍ରତିଶତ ଦାମ ବୃଦ୍ଧି ନେଇ ଯୋଜନା କରୁଛି ।
ଭବିଷ୍ୟତରେ ପାର୍ଲେ ପ୍ରଡକ୍ସନ ଏହାର ଉଭୟ ପ୍ରିମିୟମ ଏବଂ ଷ୍ଟାଣ୍ଡାର୍ଡ ବିସ୍କୁଟ ବ୍ରାଣ୍ଡ ମୂଲ୍ୟ ବୃଦ୍ଧି କରିବ । ପାର୍ଲେ ପ୍ରିମିୟମ ବ୍ରାଣ୍ଡ ତଥା ପ୍ଲାଟିନା ରେଞ୍ଜ ଅଧିନରେ ଗ୍ଲୁକୋଜ, ମ୍ୟାରି ଏବଂ ମିଲ୍କ ବିସ୍କୁଟ ବିକ୍ରି କରୁଛି । ଏଥିରେ ବୋର୍ବନ, ହାଇଡ ଆଣ୍ଡ ସିକ ଏବଂ ମିଲାନୋ ଆଦି ଶ୍ରେଣୀର ବିସ୍କୁଟ ଅଛି । କେବଳ ଦାମ ବୃଦ୍ଧି ନୁହେଁ କମ୍ପାନୀ ଏହି ସବୁ ବିସ୍କୁଟର ପ୍ୟାକେଟ ଆକାର ମଧ୍ୟ କମାଇବାକୁ ଯୋଜନା କରୁଛି ।