ନୂଆଦିଲ୍ଲୀ: ଦେଶରେ ବ୍ରାଣ୍ଡେଡ୍ ଡାଲି ଉପରେ ଲାଗୁ ଜିଏସଟି ଦରକୁ ହ୍ରାସ ନେଇ ସରକାରଙ୍କ କୌଣସି ଯୋଜନା ନାହିଁ । ସୋମବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି ଯେ, ବର୍ତ୍ତମାନ ପ୍ୟାକେଜ୍ ବ୍ରାଣ୍ଡେଡ୍ ଡାଲି ଉପରେ 5 ପ୍ରତିଶତ ହାରରେ ଜିଏସଟି ଲଗାଯାଇପାରିବ । ଯେଉଁଠି ବ୍ରାଣ୍ଡ ମାଲିକ ଏହିପରି ବ୍ରାଣ୍ଡ ଉପରେ ବାଧ୍ୟତାମୂଳକ ଅଧିକାର ବଜାୟ ରଖିଛନ୍ତି । ତେବେ ଖୁଚୁରା କିମ୍ବା ହୋଲସେଲ ବଜାରରେ ବିକ୍ରୟ ତଥା କ୍ରୟ କରାଯାଉଥିବା ନନ ବ୍ରାଣ୍ଡେଡ୍ ଡାଲି ଉପରେ ଏହି ପାଞ୍ଚ ପ୍ରତିଶତ ଜିଏସଟି ପ୍ରଯୁଜ୍ୟ ନୁହେଁ | ମନ୍ତ୍ରୀ କହିଛନ୍ତି ଯେ, ଅନ୍ୟ ଡାଲି ଗୁଡିକୁ ଜିଏସଟିରୁ ଫ୍ରି କରାଯାଇଛି । ସେ ଆହୁରି ବି ଜଣାଇଛନ୍ତି କି, ଦେଶରେ ବ୍ରାଣ୍ଡେଡ୍ ଡାଲି ବିକ୍ରିରୁ ସରକାରଙ୍କୁ 320 କୋଟି ଟଙ୍କା ଜିଏସଟି ମିଳିଛି ।
ତାଙ୍କ ଦଳର ସହକର୍ମୀ ତଥା ଗୁଜୁରାଟର ମେହସାନାରୁ ଲୋକସଭା ସଦସ୍ୟ ଶାରଦାବେନ ପଟେଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବ୍ରାଣ୍ଡେଡ୍ ଡାଲି ବିକ୍ରି ଉପରେ 5 % ଜିଏସଟି ଦର ଜିଏସଟି ପରିଷଦ ଦ୍ବାରା ସ୍ଥିର କରାଯାଇଛି । ଆଉ ଜିଏସଟି ପରିଷଦ ହେଉଛି ସର୍ବୋଚ୍ଚ ସଂସ୍ଥା । ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବ୍ରାଣ୍ଡେଡ୍ ଡାଲି ଉପରେ ଜିଏସଟିକୁ 5 % ରୁ ହ୍ରାସ କରି 1 %କୁ ଆଣିବା ପାଇଁ ଜିଏସଟି ପରିଷଦ ଆଗରେ କୌଣସି ପ୍ରସ୍ତାବ ଦିଆଯାଇନି ।