ନୂଆଦିଲ୍ଲୀ: ପ୍ରତି ପରିବାରକୁ ମିଳିବ ସୁଦ୍ଧ ଓ ସ୍ବଚ୍ଛ ପାନୀୟ ଜଳ । ଏଥିପାଇଁ ଘର ଘରକୁ ଖଞ୍ଜାହେବ ପାଇପ -ନଳ । ଖାସ ଏହି ଉଦ୍ଦେଳଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2019-20 ଆର୍ଥିକ ବର୍ଷର ବଜେଟରେ ହେବ ‘ନଳ ସେ ଜଳ’ ସ୍କିମର ଘୋଷଣା କରିଛନ୍ତି । ତେବେ ଏଥିପାଇଁ ଆସନ୍ତା 5 ବର୍ଷରେ ପାଖାପାଖୀ 6.3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବଡ କଥା ହେଲା ମୋଦି ସରକାର କେବଳ ପାନୀୟ ପାଣି ପାଇଁ ମୁଣ୍ଡ ପିଛା 9 ହଜାର ଟଙ୍କା ନିବେଶ କରିବେ।
ଜେଏମ ଫାଇନନ୍ସିଆଲ ଇନଷ୍ଟିଚ୍ୟୁସନାଲ ରିପୋର୍ଟ ଅନୁଯାୟୀ, 2024 ସୁଦ୍ଧା ନଳ ସେ ଜଳ ଯୋଜନା ଲକ୍ଷ୍ୟକୁ ପୂରଣ କରିବାକୁ ସରକାର ତତ୍ପର। ଆଉ ଏଥିଲାଗି ମୋଟା ଅଙ୍କରେ ନିବେଶ ପାଇଁ ମଧ୍ୟ ଆଶା ରହିଛି । କେବଳ ଜଳ ନୁହେଁ ସ୍ବଚ୍ଛତାର ପ୍ରତିଶ୍ରୁତି ମଧ୍ୟ ହେବ ପୂରଣ । ପ୍ରତି ବ୍ୟକ୍ତି ପିଛା 8ରୁ 9 ହଜାର ଟଙ୍କା ଖର୍ଚ୍ଚ ହୋଇପାରେ। ଫଳରେ 2019-20 ରୁ 2024-25 ମଧ୍ୟରେ ପାଖାପାଖୀ 5600ରୁ 6300 ଅରବ ଟଙ୍କା ଆବଶ୍ୟକତା ରହିଛି। ଯାହାକି 2013-14ରୁ 2018-19 ମଧ୍ୟରେ ହୋଇଥିବା ଖର୍ଚ୍ଚର ପୂରା 2 ଗୁଣା।
ତେବେ ଅନୁମାନ ତୁଳନାରେ ରାଜ୍ୟଗୁଡିକର ଆନୁମାନିକ ବ୍ୟୟ ବହୁ ଅନ୍ତର ରହିପାରେ । କାରଣ ପାନୀୟ ଜଳର ଉପଲବ୍ଧତା, ଗୁଣବତ୍ତା, ଭୌଗୋଳିକ ସ୍ଥିତି ଉପରେ ମଧ୍ୟ ଏହାର ଖର୍ଚ୍ଚ ନିର୍ଭରଶୀଳ । ଉତ୍ତରାଖଣ୍ଡ ଭଳି ପାହାଡୀ ଇଲାକାରେ ଏଥିପାଇଁ 18000 କୋଟି ବ୍ୟୟ ହେବାକୁ ଥିବା ବେଳେ କର୍ଣ୍ଣାଟକରେ ମାତ୍ର 3 ହଜାର କୋଟି ଖର୍ଚ୍ଚ ହେବ ବୋଲି ହିସାବ ରହିଛି । ସେହିପରି ପୂର୍ବ ଓ କେନ୍ଦ୍ରୀୟ ରାଜ୍ୟ ଗୁଡିକରେ ପାନୀୟ ପାଇପ ପାଇଁ ସରକାରଙ୍କୁ ପାଣି ଭଳି ଟଙ୍କା ବୁହାଇବାକୁ ପଡିବ ।