ମୁମ୍ବାଇ: ଆସନ୍ତା ମାସରେ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ଉଠିବ ହାଇପ୍ରୋଫାଲ ପିଏମସି ଦୁର୍ନୀତି ମାମଲା । ଏପଟେ ଆଗକୁ ରାଜ୍ୟ ନିର୍ବାଚନ । ଏହାକୁ ନଜରରେ ରଖି ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛନ୍ତି ।
ଗଭୀର ମାନ୍ଦାବସ୍ଥା ପ୍ରଭାବରେ ମହାରାଷ୍ଟ୍ର ଅର୍ଥନୀତି ଟଳମଳ । ବହୁ ସମସ୍ୟାର ସାମ୍ନା କରୁଛି ରାଜ୍ୟ । ବିନିର୍ମାଣ ବିକାଶ ଦର ଲଗାତର 4 ବର୍ଷର ସର୍ବନିମ୍ନରେ ପହଞ୍ଚିଛି । ସେପଟେ ବିଗତ 5 ବର୍ଷ ଭିତରେ ମହାରାଷ୍ଟ୍ରର ସର୍ବାଧିକ କଳ ଓ କାରଖାନା ବନ୍ଦ ହେବାକୁ ଲାଗିଛି । ଏହି ସବୁ ମଧ୍ୟରେ ସରକାରଙ୍କ ବହୁପ୍ରଚାରିତ ଡବଲ ଇଞ୍ଜିନ ମଡେଲ ସବୁ ବିଫଳ ହୋଇଯାଇଛି ବୋଲି ଦର୍ଶାଇ ସରକାରଙ୍କୁ ସମାଲୋଚନା କରିଛନ୍ତି ମନମୋହନ ।
ଗୋଟିଏ ପଟେ ଏହି ମଡେଲକୁ ଆଧାର କରି ଭାଜପା ଭୋଟ ହାତଉଛି । ଅନ୍ୟପଟେ ରାଜ୍ୟ ମାନ୍ଦାବସ୍ଥା ଭିତରେ ଗତି କରୁଥିବା ନେଇ ମନମୋହନ ଯୁକ୍ତି ବାଢିଛନ୍ତି ।
ସେହିପରି ପିଏମସି ବ୍ୟାଙ୍କ ମମାଲାରେ ସେ କହିଛନ୍ତି ଯେ, ‘ମୁଁ ଭାରତ ସରକାର, ଆରବିଆଇ ଓ ମହାରାଷ୍ଟ୍ର ସରକାରଙ୍କ ଠାରୁ ଆଶା ରଖୁଛି ଯେ, ସେମାନେ ସମସ୍ତେ ଏହି ମାମଲା ଉପରେ ଧ୍ୟାନ ଦେଇ ଏଥିରେ ଜଡିତ 16 ଲକ୍ଷ ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ’ ଏହି ମାମଲାକୁ ଆସନ୍ତା ଶୀତକାଳୀନ ଅଧିବେଶନରେ ଆଗକୁ ଆଣିବା ନେଇ ଆଶା ରହିଛି ।