ନୂଆଦିଲ୍ଲୀ: ଶେଷ ହେଲା ଏପ୍ରିଲ ମାସ । ଆରମ୍ଭ ହେଲା ମେ’ ମାସ । ନୂଆ ମାସ ଆରମ୍ଭ ସହ ବଦଳିବ ଅନେକ ନିୟମ , ଯାହା ଆପଣଙ୍କ ଦୈନନ୍ଦିନ ଜୀବନକୁ କରିବ ପରିବର୍ତ୍ତନ । ଆଉ ଯଦି ଆପଣ ଏହି ପରିବର୍ତ୍ତନ ସମ୍ପର୍କରେ ଅବଗତ ହେବେ ନାହିଁ ତେବେ ଭୋଗିବାକୁ ହେବ ଅନେକ ସମସ୍ୟା । ତେବେ ଚାଲନ୍ତୁ ଜାଣିବା ମେ ପହିଲାରେ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ।
1. ଆକ୍ସିସ ବ୍ୟାଙ୍କ କରିବ ଏହି ପରିବର୍ତ୍ତନ
ଆକ୍ସିସ ବ୍ୟାଙ୍କ ମେ 1 ରୁ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ନିୟମ ପରିବର୍ତ୍ତନ କରିବ । ମେ ପହିଲାରୁ ଫ୍ରି ଲିମିଟ ପରେ ଏଟିଏମରୁ ନଗଦ ଟଙ୍କା ପ୍ରତ୍ୟାହାର ଉପରେ ସମ୍ପ୍ରତ୍ତି ସମୟ ତୁଳନାରେ ଦୁଇଗୁଣ ଦେୟ ଦେବାକୁ ପଡିବ । ଏହା ବ୍ୟତିତ ମଧ୍ୟ ବ୍ୟାଙ୍କ ଅନ୍ୟ ସେବା ପାଇଁ ଚାର୍ଜ ପୂର୍ବ ଅପେକ୍ଷା ବଢେଇଦେଇଛି । ପ୍ରକାଶ ଯେ, ଆକ୍ସିସ ବ୍ୟାଙ୍କ 2021 ମେ ପହିଲାରୁ ନ୍ୟୁନତମ ଆଭେରଜ ବାଲାନ୍ସ ଲିମିଟକୁ ବଢେଇଦେଇଛି । ଆକ୍ସିସ ବ୍ୟାଙ୍କ ଇଜି ସେଭିଂ ସ୍କିମ ଥିବା ଆକାଉଣ୍ଟ ପାଇଁ ନ୍ୟୁନତମ ବାଲାନ୍ସର ଅନିବାର୍ଯ୍ୟ ସୀମା 10 ,000 ଟଙ୍କାରୁ ବଢାଇ 15,000 ଟଙ୍କା କରିଦେଇଛି ।
2. ଦେଶର ସବୁ ନାଗରିକ ନେବେ ଟିକା
କୋରୋନା ମହାମାରୀ କହର ମଧ୍ୟରେ ମେ ପହିଲାରୁ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ତୃତୀୟ ପର୍ଯ୍ୟାୟରେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବ । ତୃତୀୟ ପର୍ଯ୍ୟାୟର ଭ୍ୟାକ୍ସିନ ଅଭିଯାନରେ ସରକାର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । ଆଉ ଅନେକ ନୂଆ ନିୟମ ବି ଆସିଛି । ପ୍ରକାଶ ଯେ, ସରକାର ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛନ୍ତି ।
3. ବଢିପାରେ ଏଲପିଜି ସିଲିଣ୍ଡର ଦାମ
ସରକାର ପ୍ରତି ମାସରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଘୋଷଣା କରନ୍ତି । ଏଣୁ ମେ ମାସ ପହିଲାରେ ମଧ୍ୟ ଏଲପିଜି ମୂଲ୍ୟରେ ବୃଦ୍ଧି ଘଟିପାରେ । ବର୍ତ୍ତମାନ ସମୟରେ ଦିଲ୍ଲୀରେ 14.2 କିଲୋର ସବସିଡିଯୁକ୍ତ ସିଲିଣ୍ଡ ଦାମ 809 ଟଙ୍କା ରହିଛି । ମାର୍ଚ୍ଚ ମାସରେ ଗ୍ୟାସ ସିଲିଣ୍ଡର ଦାମ ବହୁତ ବୃଦ୍ଧି ହୋଇଛି । ତେବେ ମେ ମାସରେ ରନ୍ଧନ ଗ୍ୟାସ ବଢିବ କି ନାହିଁ, ତା ଉପରେ ରହିଛି ନଜର ।
4. ମେ ମାସରେ 12 ଦିନ ବନ୍ଦ ରହିବ ବ୍ୟାଙ୍କ
ମେ ମାସରେ ବ୍ୟାଙ୍କ ସେବା ହେବ ପ୍ରଭାବିତ । କୋରୋନା କଟକଣା କଠୋର ସହ ବ୍ୟାଙ୍କ କାର୍ଯ୍ୟ ଦିବସ କମିଥିଲା ବେଳେ ବିଭିନ୍ନ କାରଣରୁ ମେ ମାସରେ 12 ଦିନ ବନ୍ଦ ରହିବ ବ୍ୟାଙ୍କ । ଆରବିଆଇ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକାରେ କିଛି ଏଭଳି ଛୁଟି ଅଛି, ଯାହା କେବଳ ସ୍ଥାନୀୟ ରାଜ୍ୟ ସ୍ତରରେ ପ୍ରଭାବଶାଳୀ ।
5. ପଲିସି କଭର ରାଶି ହେବ ଡବର
କୋରୋନାର ଦ୍ବିତୀୟ ଲହର ମଧ୍ୟରେ ବୀମା ନିୟାମକ ଇରଡା ନେଇଛି ବଡ ନିଷ୍ପତ୍ତି । ଆରୋଗ୍ୟ ସଞ୍ଜୀବନୀ ପଲିସିର କଭର ଦୁଇଗୁଣା କରିବାକୁ ନିର୍ଦ୍ଦେଶ ଦେଇଛି ଇରଡା । ବୀମା କମ୍ପାନୀଗୁଡିକ 1 ମେ ସୁଦ୍ଧା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଲିସି ଆଣିବାକୁ ହେବ । ବର୍ତ୍ତମାନ ସ୍ଥିତିରେ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ଆରୋଗ୍ୟ ସଞ୍ଜୀବନୀ ଷ୍ଟାଣ୍ଡାର୍ଡ ପଲିସିର କଭରେଜ ସୀମା ଏବେ 5 ଲକ୍ଷ ଟଙ୍କା ଥିଲା । ଅର୍ଥାତ ଏବେ ଲୋକଙ୍କୁ ପୂର୍ବ ତୁଳନାରେ 2 ଗୁଣା ଫାଇଦା ମିଳିବ ।