ନୂଆଦିଲ୍ଲୀ: କୋରେନା ମହାମାରୀ ପ୍ରଭାବରେ ଦେଶର 2 ଡର୍ଜନରୁ ଅଧିକ ସେକ୍ଟର ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ସେମାନଙ୍କୁ ରିଲିଫ ଦେବା ପାଇଁ ଋଣ ପୁର୍ନଗଠନ ଓ ଋଣ କିସ୍ତି ସ୍ଥଗିତ ନେଇ ପରାମର୍ଶ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେ ଭି କାମାଥ କମିଟି ଗଠନ କରାଯାଇଥିଲା । ତେବେ କାମାଥଙ୍କ ନେତୃତ୍ବରେ ଏହି 5 ଜଣିଆ ସଦସ୍ୟ ବିଶିଷ୍ଟ କମିଟି 16 ସେକ୍ଟରକୁ ସୁପାରିଶ କରିଛି, ଯାହାର ଋଣ ପୁର୍ନଗଠନ ହେବା ଆବଶ୍ୟକ ରହିଛି ବୋଲି ଏଥିରେ ଦର୍ଶାଯାଇଛି ।
ଋଣ ପୁର୍ନଗଠନ ପାଇଁ କମିଟି ପକ୍ଷରୁ ଚିହ୍ନଟ ହୋଇଥିବା ସେକ୍ଟର ମଧ୍ୟରେ ଲୁହା ଓ ଇସ୍ପାତ, ସଡକ, ରିଅଲ ଇଷ୍ଟେଟ, ଶକ୍ତି, ନିର୍ମାଣ, ବିମାନ ଶିଳ୍ପ, ହୋଟେଲ୍ ଓ ରେସ୍ତୋରାଁ, କଞ୍ଜ୍ୟୁମର ଡ୍ୟୁରେବଲ, ବୟନ ଶିଳ୍ପ, ହୋଲସେଲ କାରବାର, ପର୍ଯ୍ୟଟନ, ଖଣି, ସିପିଂ, ପୋର୍ଟ ସେବା, ଚିନି, ଅଟୋ ଡିଲରସିପ, ପର୍ଯ୍ୟଟନ, ସିମେଣ୍ଟ, ଅଟୋମୋବାଇଲ ଉପକରଣ, ଗହଣା ଆଦି ରହିଛି ।
ଏସବୁ ସେକ୍ଟର କୋରୋନା ମାଡରେ ଗଭୀର ଭାବେ ପ୍ରଭାବିତ ହୋଇଛି । ପାଞ୍ଚ ପ୍ରକାର ମାନଦଣ୍ଡ ଆଧାରରେ କମିଟି ଏହି କ୍ଷେତ୍ରଗୁଡ଼ିକୁ ଚୟନ କରିଛି ।
ମହାମାରୀରେ ଟେକ୍ସଟାଇଲ, ହୋଲସେଲ ବ୍ୟାପାର ଭଳି ସଙ୍କଟଗ୍ରସ୍ତ କ୍ଷେତ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଯେପରି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ, ରିଅଲ ଇଷ୍ଟେଟ, ଷ୍ଟିଲ କୋଭିଡରେ ଅଧିକ ଚାପଗ୍ରସ୍ତ ହୋଇଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ କେ ଭି କାମାଥଙ୍କ ଅଧ୍ୟକ୍ଷତାରେ ଏହି ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା ।
କେ ଭି କାମାଥ କମିଟି ଏହି ରିପୋର୍ଟରେ କୋଭିଡ -19 ବିଶ୍ୱ ମହାମାରୀର ପ୍ରତିକୂଳ ଅର୍ଥନୈତିକ ପ୍ରଭାବ ଦ୍ୱାରା 26 ଟି ସେକ୍ଟରକୁ ଗୁରୁତର ଭାବେ ଚିହ୍ନଟ କରିଛି । ଏଥିରେ ଚଳିତ ବର୍ଷ ବୈଶ୍ବିକ ଅର୍ଥନୀତିରେ 9 ଟ୍ରିଲିୟନ ଡଲାରର କ୍ଷତି ଘଟାଇବ ବୋଲି ଆଶା କରାଯାଉଛି।
କମିଟି ଆକଳନ କରିଛି ଯେ କୋଭିଡ -19 ବିଶ୍ୱ ମହାମାରୀ ଯୋଗୁଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଅଗ୍ରଗତି ପ୍ରାୟ 72% ଚାପଗ୍ରସ୍ତ ହୋଇଛି। ଏହାର ଅର୍ଥ ହେଉଛି ମୋଟ ଲୋନ ବୁକ 52.77 ଲକ୍ଷ କୋଟି ଟଙ୍କାର 37.72 ଲକ୍ଷ କୋଟି ଟଙ୍କା Sars-CoV-2 ଜୀବାଣୁର ପ୍ରତିକୂଳ ଅର୍ଥନୈତିକ ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇଛି ।