ମୁମ୍ବାଇ: ଲକ୍ଷ୍ମୀ ବିଳାସ ବ୍ୟାଙ୍କର 20 ଲକ୍ଷରୁ ଉର୍ଦ୍ଧ୍ବ ଗ୍ରାହକଙ୍କୁ ଆଶ୍ବସ୍ତି । ତାମିଲନାଡୁର ଏହି ଘରୋଇ ବ୍ୟାଙ୍କ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ସିଙ୍ଗାପୁର ବ୍ୟାଙ୍କ ସହ ମିଶିବ । ଏ ନେଇ ଆରବିଆଇ ଦେଇଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଥିବା ବେଳେ ଏହି ମିଶ୍ରଣ ନଭେମ୍ବର 27ରୁ ଲାଗୁ ହେବ । ଏ ନେଇ ଆରବିଆଇ ସୂଚନା ଦେଇଛି ।
ରିଜର୍ଭ ବ୍ୟାଙ୍କ କହିଛି କି, ‘‘ ଏହି ମିଶ୍ରଣ 2020 ନଭେମ୍ବର 27ରୁ କାର୍ଯ୍ୟକାରୀ ହେବ । ଏହି ଦିନ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସମସ୍ତ ଶାଖା ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ ଶାଖା ଭାବେ କାମ କରିବ । ଏଥିସହ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିବ । ’’
ତେବେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଜମାକର୍ତ୍ତା ଶୁକ୍ରବାର ଠାରୁ ସେମାନଙ୍କୁ ଆକାଉଣ୍ଟକୁ ଡିବିଏସ ବ୍ୟାଙ୍କ ଇଣ୍ଡିଆର ଗ୍ରାହକ ଭାବେ ପରିଚାଳନା କରିବେ । ଏହା ପରେ ସେହି ଠାରୁ ଲକ୍ଷ୍ମୀ ବିଳାସ ଉପରେ ଲାଗିଥିବା ଟଙ୍କା ଉଠାଣ ସୀମା ରୋକ ହଟିଯିବ ।
ପ୍ରକାଶ ଯେ, ଏହି ଘରୋଇ ବ୍ୟାଙ୍କରେ ଏନପିଏ ଭାର ବଢିବା ପରେ ଆରବିଆଇ ଏହି ବ୍ୟାଙ୍କର ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇଥିଲା । ମାସିକ 25 ହଜାର ଜଣେ ଜମାକର୍ତ୍ତା ଉଠାଇପାରିବା ନେଇ ସ୍ପଷ୍ଟ କରିଥିଲା । ଏଥିସହ ନଭେମ୍ବର 17 ରେ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କର ବୋର୍ଡ ଭଙ୍ଗ କରିଥିଲା ।
ରିଜର୍ଭ ବ୍ୟାଙ୍କ କହିଛି ଯେ ଡିବିଏସ ବ୍ୟାଙ୍କ ଇଣ୍ଡିଆ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରୁଛି, ଯାହା ଦ୍ବାରା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଗ୍ରାହକମାନେ ସାଧାରଣ ଉପାୟରେ ସେବା ଉପରେ ନିଶ୍ଚିତ ହୋଇପାରିବେ । ଏହି ଖବରରେ ବୁଧବାର ଏହି ବ୍ୟାଙ୍କର ଷ୍ଟକ ପ୍ରାୟ ପାଞ୍ଚ ପ୍ରତିଶତ ବୃଦ୍ଧି ପାଇଛି । ଏହା ପୂର୍ବରୁ ଏକ ସପ୍ତାହ ଧରି ସେୟାର ତଳମୁହାଁ ଥିଲା ।