ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରମୁଖ କମ୍ପାନୀ ଇମ୍ଫୋସିସ ନିଜ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଚାଟାର୍ଡ ବିମାରେ ଆମେରିକାରୁ ଭାରତ ଆଣିଛି । କୋଭିଡ-19 ଓ ଲକଡାଉନ ଯୋଗୁଁ କର୍ମଚାରୀମାନେ ଆମେରିକାରେ ଫସିରହିଯାଇଥିଲେ । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।
ସାନଫ୍ରାନ୍ସିସ୍କୋରୁ ଏକ ସ୍ବତନ୍ତ୍ର ବିମାନରେ କମ୍ପାନୀ ନିଜ କର୍ମଚାରୀଙ୍କୁ ଆଣିବାକୁ ବ୍ୟବସ୍ଥା କରିଥିଲା । ଏହା ସୋମବାର ସକାଳୁ ବେଙ୍ଗଲୁରରୁ ପହଞ୍ଚିଛି । ଇମ୍ଫୋସିସର ଆସୋସିଏଟ ଭାଇସ ପ୍ରେସିଡେଣ୍ଟ -ରିଟେଲ, ସିପିଜି ଏବଂ ଲଜିଷ୍ଟିକ୍ସ ସମୀର ଗୋସଭୀ ଲିଙ୍କଡିନ ପୋଷ୍ଟରେ କହିଛନ୍ତି କି, ‘‘ ଇମ୍ଫୋସିସ ସ୍ବତନ୍ତ୍ର ବିମାନ ସାନଫ୍ରାନ୍ସିସ୍କୋରୁ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାକୁ ଆଣିବା ପାଇଁ କାଲି ରାତି(ରବିବାର) ଉଡାଣ ଭରିଥିଲା ।’’
ତେବେ ଇମ୍ଫୋସି ଏ ନେଇ କୌଣସି ଟିପ୍ପଣୀ ଦେଇନି । ହେଲେ ସୂଚନା ଅନୁସାରେ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସମେତ 206 ଜଣଙ୍କୁ ଭାରତ ଅଣାଯାଇଛି ।
କୋରୋନା ଭାଇରସ ସଂକ୍ରମଣ ଓ ଲକଡାଉନ ଲାଗୁ ଯୋଗୁଁ ଅନ୍ତରାଷ୍ଟ୍ରୀୟ ଉଡାଣ ବନ୍ଦ ରହିଛି । ଏଥିଯୋଗୁଁ ବିଦେଶୀ ଏହି କର୍ମଚାରୀମାନେ ଫସିରହିଯାଇଥିଲେ ।