ନୂଆଦିଲ୍ଲୀ:କୋରୋନା ମହାମାରୀ କଟକଣା ଓ ଭୟାବହତା ମଧ୍ୟରେ ଲୋକଙ୍କ ଯାତାୟତରେ ଲାଗିଛି ଲଗାମ । ଏଥିଯୋଗୁଁ 2020ରେ ଦେଶରେ ଇନ୍ଧନ ଚାହିଦା 11.5 ପ୍ରତିଶତ ହ୍ରାସ ହେବ । ଫିଚ ସଲ୍ୟୁସନ ପକ୍ଷରୁ ଏନେଇ ଅଶଙ୍କା କରାଯାଇଛି । ଏଥିସହ ଏଜେନ୍ସି ପକ୍ଷରୁ ଦେଶର ଅର୍ଥନୀତି ଆଉଟଲୁକ ଉପରେ ମଧ୍ୟ ଆନୁମାନିକ ରିପୋର୍ଟ ପ୍ରକାଶ ପାଇଛି ।
ଫିଚ ଅର୍ଥନୀତିଜ୍ଞଙ୍କ ଅନୁସାରେ 2020-21 ଆର୍ଥିକ ବର୍ଷରେ ଦେଶର ବାସ୍ତବ ଜିଡିପି 8.6 ପ୍ରତିଶତକୁ ସଙ୍କୁଚିତ ହେବ । ଯେତେବେଳେ କି ପୂର୍ବରୁ ଏହି ଅନୁମାନ ହାର 4.5 ପ୍ରତିଶତ ଥିଲା ।
ଉଭୟ ଖାଉଟି ଓ ଶିଳ୍ପ ବ୍ୟବହାରରେ ଇନ୍ଧନ ଚାହିଦା କମିଛି । ଏଭଳି ସ୍ଥିତିରେ ଚଳିତ ଆର୍ଥିକ ବର୍ଷ ଇନ୍ଧନ ଚାହିଦା ହ୍ରାସ ହେବା ପ୍ରାୟ ଆଶା ରହିଛି । ତେବେ ପୂର୍ବରୁ ଅନୁମାନ ରହିଥିଲା କି ଏ ବର୍ଷ ଦେଶର ଇନ୍ଧନ ଚାହିଦା 9.4 ପ୍ରତିଶତ କମିବ । ହେଲେ ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ହାରକୁ ବୃଦ୍ଧି କରାଯାଇଛି ।
ତେବେ 2021 ଏବଂ 2022 ମସିହାରେ ଚାହିଦା 5 ପ୍ରତିଶତ ବଢିବ ବୋଲି ଆଶା ଅଛି । କାରଣ ସ୍ଥିତି ସ୍ବାଭାବିକ ସାଙ୍ଗକୁ ଆର୍ଥିକ କାର୍ଯ୍ୟକଳାପ ବଢିବ। ଫଳରେ ଇନ୍ଧନ ଚାହିଦା ବଢିବ ।