ନୂଆଦିଲ୍ଲୀ: ବଜେଟ ଆସିବା ପରେ ଟେନସନରେ ଗହଣା ପ୍ରେମୀ । ଶୁଳ୍କ ବୃଦ୍ଧି ପରେ ମହଙ୍ଗା ହେବ ସୁନା ଦାମ । ଏ ନେଇ କେବଳ ଗ୍ରାହକ ନୁହେଁ ଚିନ୍ତାରେ ବେପାରୀ । ତେବେ ବଜାରରେ ଅନାବଶ୍ୟକ ଚାହିଦା ଉପରେ ରୋକ ଲଗାଇବାକୁ ସରକାର ବଜେଟରେ ଏପରି ଘୋଷଣା କରିଥିବା ନେଇ କହିଛନ୍ତି ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ।
ବଜେଟରେ ନିଆଯାଇଥିବା ସମସ୍ତ ଆର୍ଥିକ ନିର୍ଣ୍ଣୟ ବଜାର ଓ ବାସ୍ତବ ସ୍ଥିତିକୁ ନଜରରେ ରଖି ନିଆଯାଇଛି । ଦରଦାମରେ ନିୟନ୍ତ୍ରଣ ଓ ବଜାରରେ ସନ୍ତୁଳନ ରକ୍ଷା କରିବା ପାଇଁ ଦାମୀ ଧାତୁ ଆମଦାନୀ ହ୍ରାସ କରାଯିବ । ଏଥିମଧ୍ୟରେ ଯେପରି ଏହାର ଦୂରୁପଯୋଗ ନ ହେବ ସେଥିପାଇଁ ଅନୁପାଳନ ଏଜେନ୍ସି ତଥା ଗୁଇନ୍ଦା ସଂସ୍ଥା ଏହା ଉପରେ କଡା ନଜର ରଖିବେ ।
2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ସୁନା-ରୂପା ଭଳି ବହୁ ମୁଲ୍ୟ ଧାତୁ ଉପରେ ଆମଦାନୀ ଶୁଲ୍କ 10 ପ୍ରତିଶତରୁ କରି 12.5 ପ୍ରତିଶତକୁ ବୃଦ୍ଧି କରାଯାଇଛି । ତେବେ ଏହା ଦ୍ବାରା ସୁନା ତସ୍କରୀ ବଢିବ ବୋଲି ଆଶଙ୍କା କରାଯାଉଛି । ହେଲେ ଏହାର ଜବାବରେ ଅଜୟ ଭୁଷଣ କହିଛନ୍ତି ଯେ, ସରକାର ଅନାବଶ୍ୟକ ବସ୍ତୁର ଆମଦାନୀ କମ କରିବାକୁ ଘୋଷଣା କରିଛନ୍ତି । କାରଣ ଏସବୁ କ୍ରୟ କରି ବିଦେଶୀ ମୁଦ୍ରା ଭଣ୍ଡାର ଦିନକୁ ଦିନ ଖାଲି ହେବାକୁ ଲାଗିଛି ।