ଭୁବନେଶ୍ବର: ସାଗରମାଲା ପରିଯୋଜନା ଅଧୀନରେ ଧାମରା ନଦୀରେ ହେବ ROPAX ଜେଟି ପ୍ରକଳ୍ପ । ଏହାର ବ୍ୟୟ ଅଟକଳ 110 କୋଟି ରହିଛି । ଏହି ପ୍ରକଳ୍ପ ଦ୍ବାରା ସଡକ ମାର୍ଗ ଯାତାୟତ ସରଳ ସହ ଶୀଘ୍ର ହୋଇପାରିବ । ଏ ନେଇ କେନ୍ଦ୍ର ଜାହାଜ ମନ୍ତ୍ରାଳୟର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମନସୁକ ମାଣ୍ଡଭିୟା ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ଆଗାମୀ ଦିନରେ ଭଦ୍ରକ ଓ କେନ୍ଦ୍ରାପଡାର ବିକାଶକୁ ତୀବ୍ର କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରାପଡା ଜିଲ୍ଲାର ତଳଚୁଆ ଓ ଭଦ୍ରକ ଜିଲ୍ଲାରେ କାଣୀନାଳି କୁ ସଂଯୋଗ କରୁଥିବ 110 କୋଟି ଟଙ୍କାର ଜେଟି ପ୍ରକଳ୍ପ ଧାମରା ନଦୀ ଉପରେ ତିଆରି ହେବ । ଏହା ତିଆରି ହେବା ଦ୍ବାରା ସଡକ ମାର୍ଗରେ ରହିଥିବା ଦୂରତା ହ୍ରାସ ହେବ । ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବା ଲାଗି 6 ଘଣ୍ଟା ଲାଗୁଥିଲା ତାହା ମାତ୍ର 1 ଘଣ୍ଟାରେ ଅତିକ୍ରମ କରିହେବ । ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏହି ସୂଚନା ଦେଇଛି ।
ମନ୍ତ୍ରାଳୟ କହିଛି କି ROPAX ( ରୋଲ-ଅନ/ ରୋଲ-ଅଫ ଯାତ୍ରୀବାହୀ) ଜେଟି ପ୍ରକଳ୍ପ ଦ୍ବାରା ଧାମରା ନଦୀ ଆଖପାଖର ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିପାରିବେ । ଏଥିସହ ତଳଚୁଆରୁ ଧାମରା ପର୍ଯ୍ୟନ୍ତର ସଡକ ମାର୍ଗ 200 କିଲୋମିଟର ଦୂରତା କମିଯିବ । ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ 50.30 କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ଅତିରିକ୍ତ 50 ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଖର୍ଚ୍ଚ କରିବେ । ଏହି ପ୍ରକଳ୍ପ ପାଇଁ ମୋଟ 110.60 କୋଟି ଟଙ୍କା ଖର୍ଚ୍ଚ କରାଯିବ । କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ, ପାର୍କିଂ ଅଞ୍ଚଳ ବିକାଶ, ନୌବହନ ସହାୟତା ଓ ଖନନ ଭଳି ଉପଯୋଗିତା ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ ।
ବର୍ତ୍ତମାନର ଘାଟରେ ସବୁଦିନିଆ ଆରଓ-ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଞ୍ଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ। ସେହିପରି ଏକ ସମୟରେ 10ଟି ହାଲକା ମୋଟର ଯାନ, 20ଟି ଦୁଇ ଚକିଆ ଓ 60 ଜଣ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ଼ ଯାନ୍ତ୍ରିକ ପୋତ ଚଳାଚଳ ପାଇଁ ଭିତ୍ତିଭୂମି ନିର୍ମିତ ହୋଇପାରିବ। ଏଥିରେ ଯାତ୍ରୀ ଓ ବାହନର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।
ଭଦ୍ରକ ଜିଲ୍ଲାର କାଣୀନାଳି ଓ କେନ୍ଦ୍ରାପଡ଼ାର ତାଳଚୁଆ ଯଥାକ୍ରମେ ଧାମରା ବନ୍ଦରର ଉତ୍ତର ଏବଂ ଦକ୍ଷିଣ ତଟରେ ଅବସ୍ଥିତ । ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ସେମାନଙ୍କର ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି, ଯାହାକି କାଣିନାଳୀ ଘାଟ ଠାରୁ 4 କିମି ଦୂରରେ ଅବସ୍ଥିତ । ସଡ଼କ ପଥରେ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବା କାରଣରୁ ଲୋକମାନଙ୍କୁ କାଣୀନାଳି ଏବଂ ତାଳଚୁଆ ଘାଟରୁ ନଦୀରେ ପାଖାପାଖି 7 କିମି ରାସ୍ତା ଡଙ୍ଗାରେ ବସି ପାର ହେବାକୁ ପଡ଼ିଥାଏ ।
ବର୍ତ୍ତମାନ ଯାତ୍ରୀମାନେ ଘରୋଇ ଡଙ୍ଗାରେ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି । ଦୈନିକ ଲଞ୍ଚରେ ଗାଡ଼ି ନେଇ ଚଢ଼ିବା ଓ ଓହ୍ଲାଇବା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅତ୍ୟାଧୁନିକ ଉପଯୋଗ ଭିତ୍ତିଭୂମି ସହିତ ଏହି ପ୍ରକଳ୍ପ ଯାତ୍ରୀ ଓ ବାହନଗୁଡ଼ିକ ସୁରକ୍ଷାକୁ ବୃଦ୍ଧି କରିବ । ଏହି ଯୋଗାଯୋଗ ବ୍ୟବସ୍ଥା ଫଳରେ ବାଣିଜ୍ୟିକ ଓ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ।