ନୂଆଦିଲ୍ଲୀ: ଚାକିରୀଆଙ୍କୁ ସରକାରଙ୍କ ବଡ ଉପହାର । 3 ବର୍ଷରେ ପ୍ରଥମ ଥର ବଢିଲା ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ସୁଧହାର । 2018-19 ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (ଇପିଏଫଓ) ଉପରେ 8.65 ପ୍ରତିଶତ ସୁଧ ମିଳିବ । ଯାହା ଫଳରେ 6 କୋଟି ଇପିଏଫଓ ସଦସ୍ୟ ଲାଭବାନ ହେବେ । ଫେବୃଆରୀରେ କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ଶୁକ୍ରବାର ଗ୍ରୀନ ସିଗନାଲ ଦେଇଛନ୍ତି ଅର୍ଥମନ୍ତ୍ରୀ ।
ଆର୍ଥିକ ସେବା ବିଭାଗ(ଡିଏଫଏସ) ମଧ୍ୟ ଇପିଏଫର ଏହି ନିର୍ଣ୍ଣୟରେ ସହମତି ଦର୍ଶାଇ ମୋହର ମାରିଥିବା ଜଣାପଡିଛି । ପୂର୍ବ ବର୍ଷ ଏହି ସୁଧର ପରିମାଣ 8.55 ପ୍ରତିଶତ ରହିଥିଲା । ଯାହାକି ବିଗତ 5 ବର୍ଷରେ ସର୍ବନିମ୍ନ ରହିଥିଲା । ଫଳରେ 6 କୋଟି ପିଏଫ ଅଂଶଧାରକ ଭାରୀ ମାତ୍ରାରେ ପ୍ରଭାବିତ ହୋଇଥିଲେ । ହେଲେ ତା ପୂର୍ବ ବର୍ଷ ଅର୍ଥାତ 2016-17ରେ ପିଏଫ ସୁଧଦର 8.65 ପ୍ରତିଶତ ରହିଥିଲା । ସେହିପରି 2015-16ରେ ଏହା 8.8 ପ୍ରତିଶତ ଥିଲା ।
ବିଭାଗୀୟ ମନ୍ତ୍ରଣାଳୟର ସହମତି ପରେ ଆୟକର ବିଭାଗ ଏବଂ ଶ୍ରମ ମନ୍ତ୍ରଣାଳୟ ଏ ନେଇ ବିଜ୍ଞପ୍ତି ଜାରି କରିବ । ଏହାପରେ ଇପିଏଫଓ ତାର 120ଟି କାର୍ଯ୍ୟାଳୟକୁ ଇପିଏଫ ଆକାଉଣ୍ଟଧାରୀଙ୍କ ଖାତାରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେବ ।