ନୂଆଦିଲ୍ଲୀ: ଆଶ୍ବସ୍ତି ! ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ’ ରେ ଟଙ୍କା ଟ୍ରାନ୍ସଫର ପାଇଁ ଦେବାକୁ ପଡିବନି ଚାର୍ଜ । ତେବେ ଆମେରିକାରେ ଏଥିପାଇଁ ଫି’ ଲାଗୁ ହେବ । ଏନେଇ ବୁଧବାର କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଗତ ସପ୍ତାହରେ ଗୁଗୁଲ ଘୋଷଣା କରିଥିଲା କି ଆସନ୍ତା ବର୍ଷ ଆଣ୍ଡ୍ରଏଡ ଓ ଆଇଓଏସ ପାଇଁ ନୂଆ ଗୁଗୁଲ ପେ ଆପ ଲଞ୍ଚ କରାଯିବ । ଏହା ପରେ ୟୁଜର୍ସ ୱେବ ବ୍ରାଉଜର ଜରିଆରେ ସେବାର ଉପଯୋଗ କରିପାରିବେ ନାହିଁ । ରିପୋର୍ଟ ଅନୁସାରେ ଗୁଗୁଲ ପେ ତତ୍କାଳ ଟଙ୍କା ଟ୍ରାନ୍ସଫର ଉପରେ ଶୁଳ୍କ ବି ଲଗାଇବ । ଏ ନେଇ ଜାଣିବା ପରେ ଭାରତୀୟ ୟୁଜର୍ସ ଚିନ୍ତାରେ ଥିଲେ । ଆଗକୁ ଟଙ୍କା ଟ୍ରାନ୍ସଫର କରିବା ଉପରେ ଶୁଳ୍କ ଗଣିବାକୁ ପଡିପାରେ ବୋଲି କୁହାଯାଉଥିଲା । ତେବେ ଏହି ଚର୍ଚ୍ଚାରେ ବିରାମ ଲଗାଇ କମ୍ପାନୀ ବୁଧବାର ଏ ନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ୟୁଜର୍ସଙ୍କୁ ଆଶ୍ବସ୍ତି ଦେଇଛି ।
ଗୁଗୁଲ ମୁଖପାତ୍ର କହିଛନ୍ତି କି, ‘‘ ଏହି ଚାର୍ଜ ଆମେରିକା ପାଇଁ ରହିଛି । ଏହା ଭାରତରେ ଗୁଗୁଲ ପେ କିମ୍ବା ଗୁଗୁଲ ପେ ଫର ବିଜନେସ ଆପ ଉପରେ ଲାଗୁ ହେବ ନାହିଁ । ’’
ଭାରତରେ 2019 ସେପ୍ଟେମ୍ବର ସୁଦ୍ଧା ଗୁଗୁଲ ପେ ର ମୋଟ 6.7 କୋଟି ୟୁଜର୍ସ ଥିଲେ । ଏହା ଜରିଆରେ ବାର୍ଷିକ ଆଧାରରେ ମୋଟ 110 ଆରବ ଆମେରିକୀୟ ଡଲାରର ପେମେଣ୍ଟ ହୋଇଛି ।