ମୁମ୍ବାଇ: ଶନିବାର ଖୋଲିବ ଭାରତୀୟ ସେୟାର ବଜାର । ସ୍ବାଭାବିକ ରହିବ କାରବାର । କାରଣ ପ୍ରଥମଥର ପାଇଁ ଶନିବାର ଦିନ ଉପସ୍ଥାପନା ହେଉଛି କେନ୍ଦ୍ର ବଜେଟ । ଏ ନେଇ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ପକ୍ଷରୁ ସର୍କୁଲାର ଜାରି କରି କୁହାଯାଇଛି ।
ସେହି ଦିନ ସମାନ ରୂପରେ ସକାଳ 9.15 ମିନିଟରୁ ଅପରାହ୍ନ 3.30 ପର୍ଯ୍ୟନ୍ତ କାରବାର ଚାଲିବ । ଏକ୍ସଚେଞ୍ଜର ପ୍ରି-ଓପେନ ଟ୍ରେଡ ସକାଳ 9ରୁ 9.15 ମଧ୍ୟରେ ରହିବ । ମଙ୍ଗଳବାର ବିଳମ୍ବିତ ରାତିରେ ଏକ୍ସଚେଞ୍ଜ ଏହି ନୋଟି ଜାରି କରି ସୂଚନା ଦେଇଛି ।
ପ୍ରକାଶ ଯେ, ସାଧାରଣ ଭାବେ ଶନିବାର ସେୟାର ବଜାର ବନ୍ଦ ହୋଇଥାଏ । ଏଥିସହ ପ୍ରାୟ ଅନ୍ୟାନ୍ୟ କାରବାର ମଧ୍ୟ ହୋଇନଥାଏ । ତେବେ ଏଥର ଫେବୃଆରୀ ପହିଲା ଶନିବାର ରହିଛି । ଫଳରେ ପରମ୍ପରାକୁ ବଜାୟ ରଖିବାକୁ ଏହି ଦିନ ବଜେଟ ଆଗତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହ ବଜାର ମଧ୍ୟ ଖୋଲିବ ବୋଲି କୁହାଯାଇଛି ।
ଏହା ପୂର୍ବରୁ ମଧ୍ୟ 2015 ଫେବୃଆରୀ 28ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଦିନ ବଜେଟ ଆଗତ କରିଥିଲେ । ଆଉ ସେହି ଦିନ ବଜାର ଖୋଲା ରହିଥିଲା ।
ଅର୍ଥବ୍ୟବସ୍ଥା ସହ ଜଡିତ ବିଭିନ୍ନ ସେକ୍ଟର ସହ ସେୟାର ବଜାରକୁ ମଧ୍ୟ ଏହି ବଜେଟରୁ ବହୁ ଆଶା ରହିଛି । କାରଣ ଏହା ଏପରି ଏକ ସମୟରେ ଆସିଛି, ଯେବେ ଅଭିବୃଦ୍ଧି 6 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚି ଧୀମେଇ ପଡିଛି ।
ଚଲିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବରରେ ଭାରତର ମୋଟ ଘରୋଇ ଉତ୍ପାଦ 4.5 ପ୍ରତିଶତରେ ପହଞ୍ଚିଛି । ଯାହା 2013ର ରେକର୍ଡ ଭାଙ୍ଗି ତଲମୁହାଁ ହୋଇଛି । ଏପଟେ ସରକାର ମଧ୍ୟ ଏଥରକର ଅଭିବୃଦ୍ଧି ହାର 5 ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି । ଯାହାକି 11 ବର୍ଷର ସବୁଠାରୁ ନିମ୍ନ ସ୍ତର ।