ଜଗତସିଂହପୁର: ବାତ୍ୟା ୟଶ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ନେଇ ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୋମବାର ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର ଏରସମା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି ।

ଗତ 1999 ମହାବାତ୍ୟା ଓ ପରବର୍ତ୍ତୀ ବାତ୍ୟାରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଲୋକଙ୍କ ମନରେ ଏ ନେଇ ଅନେକ ଆଶଙ୍କା ରହିଛି । ବାତ୍ୟା ୟଶ ଦ୍ବାରା ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ଏଠାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।


ଏହି କାର୍ଯ୍ୟର ଆଜି ତଦାରଖ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ସ୍ଥାନୀୟ ବିଡିଓ କୈଳାସ ବେହେରା, ତହସିଲଦାର ପ୍ରଜ୍ଞାନନ୍ଦନ ଦାସ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ ବ୍ଲକର ଢିଙ୍କିଆ ପଞ୍ଚାୟତର ଗଡକୁଜଙ୍ଗ, ନୋଳିଆ ସାହି ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି ମନ୍ତ୍ରୀ । ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଲୋକମାନଙ୍କୁ ସଚେତନ ଓ ସତର୍କ ରହି ବାତ୍ୟାର ମୁକାବିଲା କାର୍ଯ୍ୟ ତଦାରଖ କରିଛନ୍ତି ମନ୍ତ୍ରୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ