କଟକ: କଟକରେ ଗତ କିଛି ବର୍ଷ ଧରି ଜଣ୍ଡିସ ଆତଙ୍କ ଖେଳାଇଛି । ଗତ ପାଞ୍ଚବର୍ଷ ମଧ୍ୟରେ କଟକରେ 10ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି । ଜଣ୍ଡିସ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ଏକ ପ୍ରକାର ଅସହାୟ ହୋଇପଡିଛି । ସମ୍ଭବତଃ ଦୂଷିତ ପାଣି ହିଁ ଜଣ୍ଡିସ ବ୍ୟାପିବାର ମୁଖ୍ଯ କାରଣ । ଜଣ୍ଡିସ ବ୍ୟାପିଲେ ହିଁ ପ୍ରଶାସନର ଦେଖା ମିଳିଥାଏ ।
ଏବେ ପୁଣି କଟକରେ ଜଣ୍ଡିସ ଡରାଉଥିବା ବେଳେ ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ କଟକ ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଅଣ୍ଟା ଭିଡିଛନ୍ତି କିଛି ସାମାଜିକ ଅନୁଷ୍ଠାନ । ଅକ୍ଷୟ ୱାଟର ଫାଉଣ୍ଡେସନ, ସ୍ୱୟଂଶ୍ରୀ ସହାୟତା ଗୋଷ୍ଠୀ ଓ ପ୍ରୋଜେକ୍ଟ ସ୍ୱରାଜ୍ୟ ମାଧ୍ୟମରେ ୱାଟର ଏଟିଏମ ବ୍ୟବସ୍ଥା କରାଯାଇଛି କଟକ ସହରରେ ।
ଏହି ଏଟିଏମ ରେ ୨ ଟଙ୍କା ଦେଇ ୧ ଲିଟର ପାଣି ନେଇ ପାରିବେ ଜନସାଧାରଣ । ତେବେ ୧୦ ଲିଟରରୁ ଅଧିକ ପାଣି ନେଲେ ଲିଟର ପିଛା ମାତ୍ର ୫୦ ପଇସା ଦେବାକୁ ପଡିବ ବୋଲି କହିଛନ୍ତି ଅକ୍ଷୟ ୱାଟର ଫାଉଣ୍ଡେସନର ଅଧିକାରୀ । ଯଦି ଜଣେ ଏକ ଲିଟର ପାଣି ବୋତଲରେ ନେବାକୁ ଚାହିଁବେ ତେବେ ୨ ଟି ଏକ ଟଙ୍କିଆ କଏନ, ଏଟିଏମରେ ଭର୍ତ୍ତି କରିବାକୁ ପଡିବ ।
ତେବେ ଜନସାଧାରଣ ସେହିଠାରେ ଯାହା ବି ପାଣି ପିଇବେ କୌଣସି ଦେୟ ଦେବାକୁ ପଡିବ ନାହିଁ । ସେହିପରି ଏହି ଜଳ ଏଟିଏମର ଏଟିଏମ କାର୍ଡ କରିବାକୁ ହେଲେ ୩୦୦ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡିବ । ଏହି ଏଟିଏମରେ ୩ ଶହ ଟଙ୍କା ବାଲାନ୍ସ ରହିବ। ଯେକୌଣସି ବ୍ୟକ୍ତି ଏହି ଏଟିଏମରୁ ଯେକୌଣସି ସମୟରେ ପାଣି ନେଇ ପାରିବେ। ତେବେ ଏହି ୱାଟର ଏଟିଏମ ସକାଳ ୯ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଅକ୍ଷୟ ୱାଟର ଫାଉଣ୍ଡେସନ କତ୍ତୃପକ୍ଷ କହିଛନ୍ତି ।
ସେପଟେ ଏହି ଜଳ ଏଟିଏମ ବ୍ୟବସ୍ଥାକୁ କଟକ ସହର ବାସୀ ପ୍ରଶଂସା କରିବା ସହ ସବୁ ୱାର୍ଡରେ ଖୋଲିବାକୁ ଦାବି କରିଛନ୍ତି । ଏହାସହ ଥଣ୍ଡା ଓ ବିଶୁଦ୍ଧ ପାନୀୟ ଜଳ ମିଳୁଥିବା ସେମାନେ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ