ମୟୂରଭଞ୍ଜ: ଏକ ବୋଲେରୋ ଚୋରି ରାକେଟର ପର୍ଦ୍ଦାଫାଶ କରିଛି କପ୍ତିପଦା ପୋଲିସ୍ । ସିସିଟିଭି ଫୁଟେଜ୍ ସାହାଯ୍ୟରେ ପୋଲିସ ଏହି ଡକାୟତି ଗ୍ୟାଙ୍ଗର ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ଆନ୍ତଃଜିଲ୍ଲା ଡକାୟତ ଭୀମସେନ ମାଝି ।
ସୂଚନାନୁସାରେ, କପ୍ତିପଦା ଥାନା ନୂଆସାହି ଗ୍ରାମର ସୁବଳ ବେହେରାଙ୍କ ଘର ସମ୍ମୁଖରୁ ଗତ ୨୦୧୭ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଏକ ବୋଲେରୋ ଚୋରି ହୋଇଥିଲା । ସୁବଳ ଏନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ଗୁରୁବାର ପୋଲିସ ଭୀମସେନକୁ ଗିରଫ କରିଛି । ଗିରଫ ପରେ ଭୀମସେନକୁ ପଚରାଉଚରା କରି ଅନେକ ତଥ୍ୟ ହାସଲ କରିଛି ।
ଭୀମସେନ ନାଁରେ ଅନୁଗୁଳ, କେନ୍ଦୁଝର, ଯାଜପୁର ରୋଡ, ସମ୍ବଲପୁର, ରାଉରକେଲା ଭଳି ବିଭିନ୍ନ ଜିଲ୍ଲାରେ ୫ଟି ମାମଲା ରହିଛି । ତେବେ ତା'ର 2 ସହଯୋଗୀ ସମ୍ବଲପୁର ଅଞ୍ଚଳର ସଫିରାଜ ଖାନ୍ ଏବଂ ଧନେଶ୍ବର ଝଙ୍କାର ଏବେ ସମ୍ବଲପୁର ଜେଲରେ ଅଛନ୍ତି । ଏହି ଦୁଇ ସହଯୋଗୀଙ୍କ ସହାୟତାରେ ଭୀମସେନ ବୋଲେରୋ ଚୋରି କରିଥିବା କହିଛି । ସେହି 2 ସହଯୋଗୀ ଜେଲରୁ ବାହାରିବା ପରେ ଚୋରି ହୋଇଥିବା ବୋଲେରୋ ଉଦ୍ଧାର କରାଯିବ ବୋଲି ଉପଖଣ୍ଡ ପୋଲିସ୍ ଅଧିକାରୀ କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ