ଭୁବନେଶ୍ବର: ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ବୌଦ୍ଧ ଜିଲ୍ଲାରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀ ଜଗନ୍ନାଥଙ୍କ ପାତାଳୀ କ୍ଷେତ୍ର ଭାବରେ ପରିଚିତ ବଜ୍ରକ୍ଷେତ୍ର ଶ୍ରୀ ଜଗନ୍ନାଥ ଓ ରଥଯାତ୍ରାକୁ ନେଇ ବୌଦ୍ଧରେ ସ୍ବତନ୍ତ୍ର ପରିଚୟ ରହିଛି । ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ବୌଦ୍ଧର ଏକ ବିରଳ ଘୃର୍ଣ୍ଣାୟମାନ ରଥ ଗଡଜାତ ଶାସନ କାଳରୁ ଭକ୍ତଙ୍କୁ ଆକୃଷ୍ଟ କରି ଆସୁଛି । ଏଣୁ ରଥଯାତ୍ରାର ମୁଖ୍ୟ ଆକର୍ଷଣ ରଥ ନିମନ୍ତେ ବିଶେଷ ଦୃଷ୍ଟି ଦେବା ସହ ଚଳିତ ରଥଯାତ୍ରାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ମୀନାବଜାର ହେବା ନେଇ ଆଲୋଚନା ହୋଇଥିଲା ।
ସେହିପରି ରାୟଗଡା ଜିଲ୍ଲାରେ ମଧ୍ୟ ପବିତ୍ର ରଥଯାତ୍ରାକୁ ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ ଏହି ବୈଠକର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଡିଆରଡିଏ କନଫରେନ୍ସି ହଲରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ରଥ ଯାତ୍ରା କିଭଳି ଭାବେ ସୁରୁଖୁରୁରେ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା ହୋଇଥିଲା । ବୈଠକରେ ଉପସ୍ଥିତ ଅଧିକାରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।
ଦୀର୍ଘ ୯ ଦିନ ବ୍ୟାପି ହେବାକୁ ଥିବା ରଥଯାତ୍ରାରେ ଭକ୍ତ କିଭଳି ଭାବେ ସୁବିଧାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୋଲିସ୍ ବିଭାଗ ଏବଂ ଜନସାଧରଣଙ୍କ ସହଯୋଗ ଲୋଡିଥିଲେ ଜିଲ୍ଲାପାଳ । କେବଳ ଯେ ରାୟଗଡା ନୁହେଁ ଗୁଣପୁର, ମୁନିଗୁଡା , ବିଷମକଟକ, କଲ୍ୟାଣସିଂହପୁର, ପାଇକପଡାରେ କିଭଳି ସୁରୁଖୁରୁରେ ରଥଯାତ୍ରା ସମ୍ପର୍ଣ୍ଣ ହେବ ସେ ଦିଗରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି ଏବଂ ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ