ଫୁଲବାଣୀ: ସହରରେ ମୃତ୍ୟୁର ଆତଙ୍କ । ବେପରୁଆ ଓ ମାତାଲ ଅବସ୍ଥାରେ ଏସୟୁଭି କାର୍ ଚଳାଇ ଜଣେ ଚାଳକ ସିରିଜ୍ ଦୁର୍ଘଟଣା ଘଟାଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ 4 ଜଣଙ୍କୁ ଭୁବନେଶ୍ବର ଏବଂ ଅନ୍ୟମାନଙ୍କୁ ବ୍ରହ୍ମପୁର ଓ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଘଟଣାକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ମାତାଲ ଡ୍ରାଇଭର ଟୁନା ପ୍ରଧାନକୁ ନିସ୍ତୁକ ମାଡ ମାରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଲୋକଙ୍କ ଉତ୍ତେଜନାକୁ ଦୃଷ୍ଟିରେ ରଖି ମେଡିକାଲ ପରିସରରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ 9.30 ସମୟରେ ଫୁଲବାଣୀ ଗାନ୍ଧୀ ଛକ ଠାରୁ ଏକ ମହିନ୍ଦ୍ରା ଏସୟୁଭି କାର୍ ଅତି ଦ୍ରୁତ ଗତିରେ ବାହାରି ସର୍କୁଲାର୍ ରୋଡର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଧକ୍କା ଦେଇଥିଲା । ନାରାୟଣୀ ମନ୍ଦିର ଛକ ଠାରେ ଗୋଟିଏ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟିଟି ଡ୍ରେନ ଭିତରେ ପଡିଯାଇଥିଲା । ଏଥିସହ ବସିଥିବା ଲକ୍ଷ୍ମୀପ୍ରିୟା ମୁନିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତାଙ୍କ ସହ ଥିବା 4 ବର୍ଷର ଝିଅ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଗାନ୍ଧୀ ଛକ, ମାଦିକୁନ୍ଦା ଛକ, ଜିରିଙ୍ଗପଡା ପ୍ରଭୃତି ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟାଇ ସାଧାରଣ ଲୋକ ଓ ପଥଚାରୀଙ୍କୁ ଗୁରୁତର ଆହତ କରିଥିଲା ମାତାଲ୍ ଡ୍ରାଇଭର ଟୁନା ।
ଏଭଳି ଘଟଣା ପରେ ମାଦିକୁନ୍ଦା ଛକରେ ଟୁନାକୁ ଅଟକାଇ ନିସ୍ତୁକ ମାଡ ମାରିଥିଲେ ଲୋକେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ । ପୋଲିସ ହେପାଜତରେ ମେଡିକାଲରେ ଅଭିଯୁକ୍ତ ଟୁନାର ଚିକିତ୍ସା ଚାଲିଛି । ଏଭଳି ଏକ ଅଭାବନୀୟ ଘଟଣା ପରେ ସାରା ସହରରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ବେପରୁଆ ଗାଡି ଚାଳନାକୁ ରୋକ୍ ଲଗାଉନଥିବାରୁ ଏପରି ଘଟଣା ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଓ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ