ନୂଆଦିଲ୍ଲୀ: ଆସନ୍ତାକାଲି ସଂଧ୍ୟାରେ ବିଜେପି ନେତୃତ୍ବରେ ଏନଡିଏ ନିଜ ଦ୍ବିତୀୟ ପାଳି ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ମୋଦି ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପୂର୍ବରୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ, କେଉଁ ବିଭାଗ କାହାକୁ ଦିଆଯିବ । ତାକୁ ନେଇ ଦଳରେ ଚାଲିଛି ଅଙ୍କକଷା । ତେବେ ମୋଦି ଶପଥ ଗ୍ରହଣ ପୂର୍ବରୁ ଲାଗିଛି ଦଳକୁ ହାଲକା ଝଟକା ।
ଦଳର ବରିଷ୍ଠ ନେତା ତଥା ଗତ ସରକାରରେ ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗ ସମ୍ଭାଳିଥିବା ଅରୁଣ ଜେଟଲୀ ନୂତନ ସରକାରରେ ସାମିଲ ହେବେ ନାହିଁ ବୋଲି ପତ୍ର ଲେଖି ମୋଦିଙ୍କୁ ଜଣାଇଦେଇଛନ୍ତି । ଅରୁଣ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ସେ ଗତ ଦେଢବର୍ଷରୁ ଅଧିକ ସମୟ ହେଲା ସ୍ବାସ୍ଥ୍ୟ ସମସ୍ୟାର ସାମ୍ନା କରୁଛନ୍ତି । ଅନେକ ଚିକିତ୍ସା ସ୍ବତ୍ବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନାହିଁ । ତେଣୁ ସେ ନୂତନ ସରକାରେ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ ।
ହେଲେ ଅରୁଣ ଜେଟଲୀଙ୍କ ଏହି ପଦକ୍ଷେପକୁ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି ମୋଦି । କାରଣ ଅରୁଣ ବିରୋଧୀଙ୍କୁ ମାତ ଦେବାରେ ସିଦ୍ଧହସ୍ତ ଥିବାବେଳେ ସରକାରରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥାଏ । ଏହାସହ ଜଣେ ଅର୍ଥମନ୍ତ୍ରୀ ଭାବେ ଦକ୍ଷତା ଓ ଗତ ସରକାରରେ କାର୍ଯ୍ୟକାରୀ ହୋଇଥିବା (ଜିଏସଟି)ର ସଫଳ ରୂପାୟନ ପାଇଁ ଜେଟଲି ମୋଦିଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି । ଯେଉଁଥିପାଇଁ ମୋଦି ଚାହୁଁଛନ୍ତି ଜେଟଲୀ ସରକାରରେ ସାମିଲ ହୁଅନ୍ତୁ ।
ସେଥିପାଇଁ ମୋଦି ଅରୁଣ ଜେଟଲୀଙ୍କୁ ମନାଇବା ପାଇଁ ତାଙ୍କ ବାସଭବନକୁ ଯାଇ ସାକ୍ଷାତ କରିଥିବା ଜଣାପଡିଛି । ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋଦି ଜେଟଲୀଙ୍କୁ ସରକାରରେ ସାମିଲ ହେବା ପାଇଁ ଅନୁରୋଧ କରିଥିବା ଜଣାପଡିଛି । ତେବେ ଅରୁଣ ମୋଦିଙ୍କ ମଧ୍ୟରେ ନୂତନ ସରକାର ଗଠନ ପାଇଁ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । କିନ୍ତୁ ଅରୁଣ ସରକାରରେ ସାମିଲ ହେବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି ।