ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମଙ୍ଗଳବାର ରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ପରମ୍ପରା ମୁତାବକ ରଥ ନିର୍ମାଣ ପାଇଁ 3ଟି ଧଉରା କାଠର ପାରମ୍ପରିକ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ ଆରମ୍ଭ ହୋଇଛି। ସେହିପରି ମଙ୍ଗଳବାର ଠାରୁ ମହାପ୍ରଭୁଙ୍କ ଗ୍ରୀଷ୍ମକାଳୀନ ନୀତି ଚନ୍ଦନ ଯାତ୍ରା ମଧ୍ୟ ପୁରୀରେ ଆରମ୍ଭ ହୋଇଯାଇଛି।
ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପରମ୍ପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିରରେ ରାଜଗୁରୁ, ରାଜ ପୁରୋହିତ ଓ ପୂଜା ପଣ୍ଡା ମାନେ ବିଧି ଅନୁଯାୟୀ ପୂଜା ହୋମ କରିଥିଲେ । ପରେ ଶ୍ରାମନ୍ଦିରରୁ ଆଜ୍ଞାମାଳ ଆଣି, ପ୍ରସ୍ତୁତ ଥିବା 3ଗୋଟି ଧଉରା କାଠରେ ସ୍ଥାପିତ କରିବା ସହ ଆଚାର୍ଯ୍ୟ ମାନେ ପ୍ରଥମେ ସୁନା କୁରାଢ଼ୀରେ ତିନୋଟି କାଠ ଛେଦନ କରିଥିଲେ । ଏହାପରେ ବିଶ୍ୱକର୍ମା ମହାରଣା ସେବକମାନେ ତିନୋଟି କାଠରେ ଶାଢ଼ୀ ବାନ୍ଧିବା ସହ ରଥ ଖଳାରେ ରଥ ନିର୍ମାଣ ଆରମ୍ଭ କରିଛନ୍ତି ।
ସେପଟେ ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞା ମାଳ ପାଇ ମହାପ୍ରଭୁଙ୍କ ପ୍ରତୀକ ରୂପୀ ପ୍ରଭୁ ରାମକୃଷ୍ଣ , ଶ୍ରୀଦେବୀ , ଭୂଦେବୀ , ଦୋଳ ଗୋବିନ୍ଦ ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥିଲେ । ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ନୌକା ନନ୍ଦା ଓ ଭଦ୍ରାରେ ଚାପ ଖେଳୁଛନ୍ତି ମୋଦନ ମୋହନ । 21 ଦିନ ବ୍ୟାପି ଏହି ପ୍ରସିଦ୍ଧ ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେବ ।
ମହାପ୍ରଭୁ ବିଶ୍ବନିୟନ୍ତାଙ୍କ ପରମ୍ପରା ଅନନ୍ୟ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁଙ୍କ ଏହି ପବିତ୍ର ଘୋଷଯାତ୍ରା ପାଇଁ ଏବେ ପ୍ରସ୍ତୁତ ହେଉଛି ଶ୍ରୀକ୍ଷେତ୍ର ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ