ବ୍ରହ୍ମପୁର: ରାଜ୍ୟକୁ ପ୍ରବାସୀଙ୍କ ଫେରିବା ପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏପଟେ ଗଞ୍ଜାମରୁ ପୁଣି ୧୮ କୋରୋନା ଯୋଦ୍ଧାଙ୍କ ସମେତ ୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀ ୧୮ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କୋରୋନା ଯୋଦ୍ଧାଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁର ମହାନଗର ନିଗମର ହୋଇଥିବା ବେଳେ ଭଞ୍ଜନଗର , ଛତ୍ରପୁର ଓ ସାନଖେମୁଣ୍ଡିର ଦୁଇ ଜଣ ଲେଖାଏଁ, ବୁଗୁଡାର ତିନି ଜଣ ଏବଂ ଚିକିଟି , ଧରାକୋଟ , କୁକୁଡାଖଣ୍ଡି ,ପାତ୍ରପୁର ,ପୋଲସରା ଓ ଶେରଗଡରେ ଜଣେ ଲେଖାଏଁ କର୍ମଚାରୀ ରହିଥିବା ଜଣାଯାଇଛି ।
ସେହିପରି ରାଜ୍ୟ ବାହାରରୁ ଆସିଥିବା ୧୦ ଜଣ ବ୍ୟକ୍ତିବଶେଷ ପଜିଟିଭ୍ ହୋଇଥିବା କୁହାଯାଇଛି । ସେମାନେ ସବୁ ସୁରଟ, ମୁମ୍ୱାଇ, ତାମିଲନାଡୁ, କର୍ଣ୍ଣାଟକ ଏବଂ ବେଙ୍ଗାଲୋରରୁ ଆସିଥିବା ଜଣା ପଡ଼ିଛି । ଜିଲ୍ଲାରେ ଅନ୍ୟ ୨୯ ଟି ମାମଲା ମଧ୍ୟରୁ ବ୍ରହ୍ମପୁର ସହରରେ ୫ ଟି , ଭଞ୍ଜନଗରରେ 4 , କବିସୂର୍ଯ୍ୟନଗର ରେ ୮ ଟି , ରଙ୍ଗେଇଲୁଣ୍ଡାରେ ୨ ଟି ,ଆସ୍କାରେ ତିନି ଜଣ ଏବଂ ବୁଗୁଡା , ପାତ୍ରପୁର , ପୁରଷୋତ୍ତମପୁର ଓ ସୋରଡାରେ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୦୮୮ ରେ ପହଞ୍ଚିଥିବା ବେଳେ ୩୫୧ଟି ସକ୍ରିୟ ମାମଲା ରହିଛି । ସେଥିମଧ୍ୟରୁ ୭୨୯ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ