ଅନୁଗୋଳ: ଜିଲ୍ଲାପୋଲିସ ଦୋଷୀ ନୁହଁ ବରଂ ନିର୍ଦ୍ଦୋଷଙ୍କୁ ଆଣି ଥାନାରେ ଅଟକ ରଖିଛି । ଯାହାର ପ୍ରତିବାଦ କରି ଥାନା ଘେରାଉ କରିଛନ୍ତି ଗାଁ ଲୋକେ । ଛେଳିଆପଡା ଗାଁର ଶତାଧିକ ପୁରୁଷ ଓ ମହିଳା ପ୍ରାୟ ଦୀର୍ଘ ସମୟ ଧରି ଥାନା ଘେରାଉ କରିଥିଲେ ।
ଛେଳିଆପଡା ଗାଁରେ ଦୋଳ ଯାତ୍ରାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଉକ୍ତ ଗାଁର ବୁବୁ ଭଞ୍ଜ ନାମକ ଜଣେ ଯୁବକ ଗାଁର କିଛି ଯୁବକଙ୍କ ସହ ଗଣ୍ଡଗୋଳ କରିଥିଲା । ଗାଁ ଲୋକେ ଏହାକୁ ପ୍ରତିବାଦ କରିବାରୁ ବୁବୁ ପାଟିତୁଣ୍ଡ କରିବା ସହ ନିଜ ନଡ଼ା ଗଦାକୁ ନିଆଁ ଲଗାଇ ଦେଇ ଗାଁ ଲୋକଙ୍କ ନାଁରେ ଅଭିଯୋଗ କରିଥିଲା ।
ପୂର୍ବରୁ ବୁବୁ ଏଭଳି ଅନେକ କାଣ୍ଡ ଭିଆଇଥିଲେ ବି ପୋଲିସ ଡ୍ରାଇଭରର ପୁଅ ବୋଲି ତା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ବୁବୁ କରିଥିବା ଅଭିଯୋଗରେ ପୋଲିସ କିଛି ନବୁଝି ନସୁଝି ଯେଉଁମାନେ ଗାଁରେ ନଥିଲେ ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ଫଳରେ ଉକ୍ତ ଗ୍ରାମବାସୀ ଏହା ବିରୁଦ୍ଧରେ ଦୃଢ ପ୍ରତିବାଦ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ