କୋରାପୁଟ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁନ୍ଦୁରାରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗଦେଇ ବିଜେପି ବିରୋଧରେ ବର୍ଷିଛନ୍ତି । ଗତକାଲି କୋରାପୁଟର ପଟ୍ଟାଙ୍ଗି, କୋରାପୁଟ, ଦଶମନ୍ତପୁର ଓ ଜୟପୁରରେ ଅନୁଷ୍ଠିତ ସଭାରେ ବିଜେପି ବିରୁଦ୍ଧରେ କରିଥିବା ବିଷୋଦଗାର୍ର ପୁନରାବୃତ୍ତି କରିଛନ୍ତି ନବୀନ । ବନ୍ୟା, ବାତ୍ୟା ସମୟରେ ଆସିନଥିବା ବିଜେପି ନେତା ଆଜି ନିର୍ବାଚନ ବେଳକୁ ଧାଡି ଲଗାଇଛନ୍ତି ବୋଲି କହିଥିଲେ । ଏହାସହ କେବିକେ ଯୋଜନା ବନ୍ଦ ହେବା, ଏସସି /ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଅନୁଦାନ ବନ୍ଦ କରିବା ସହ ରାଜ୍ୟକୁ ଅବହେଳା କରିଥିବା ନେଇ କେନ୍ଦ୍ରକୁ କଟାକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ ।
ତେବେ ବୈପାରିଗୁଡାରେ କୋରାପୁଟ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡାଙ୍କ ସହ ପ୍ରଚାରରେ ଆସିଥିବା ହିନ୍ଦୀ ଜଗତର ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏବଂ ଓଡିଆ ହାସ୍ୟ ଜଗତର ତାରକା ହରିଭାଇଙ୍କୁ ସ୍ୱାଗତ କରିବା ପାଇଁ ଆସି ପହଞ୍ଚିଥିବା ବିଜେପି ଦଳର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଆକ୍ଷେପକୁ ନିରାଧାର ଉକ୍ତି କହି ଖଣ୍ଡନ କରିଛନ୍ତି । ବନ୍ୟା ବାତ୍ୟା ସମୟରେ କେନ୍ଦ୍ରରୁ କେହି ଆସିନଥିବା କହିବା ବାସ୍ତବ ତଥ୍ୟ ନୁହେଁ ଏବଂ କେବଳ ପହଞ୍ଚିବା ଦ୍ୱାରା ବନ୍ୟା ବାତ୍ୟା ଭଳି ସମସ୍ୟାର ସମାଧାନ ହୋଇଯାଏ ନାହିଁ ବୋଲି ଓଲଟା ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ।
କେନ୍ଦ୍ର ସରକାର ଯୋଗାଇଦେଉଥିବା ଆର୍ଥିକ ଅନୁଦାନ ଓ ସହାୟତାକୁ ଅନେକ କ୍ଷେତ୍ରରେ ବିଜେଡି ସରକାର ଉପଯୁକ୍ତ ଭାବେ ବିନିଯୋଗ କରିପାରୁନଥିବାବେଳେ କେନ୍ଦ୍ରୀୟ ଅବହେଳାକୁ ଦ୍ବାହି ଦେବା ଅଯୌକ୍ତିକ ମନ୍ତବ୍ୟ ବୋଲି ସେ କହିଛନ୍ତି । ରାଜ୍ୟରେ ଏସସି ଓ ଏସଟି ପିଲାଙ୍କ ପାଇଁ ଦିଆଯାଉଥିବା ଅନୁଦାନରେ କେନ୍ଦ୍ର ସରକାରଙ୍କ ଭାଗକୁ ୩୨ ପ୍ରତିଶତରୁ ବୃଦ୍ଧି କରି ୪୨ ପ୍ରତିଶତ ଭାଗ କରିଦିଆଯିବା କଣ କେନ୍ଦ୍ରର ଅବଦାନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଗତକାଲି ଓ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେଡିକୁ ପୁଣିଥରେ ସରକାର ଗଠନ କରିବାର ସୁଯୋଗ ମାଗିବା ଘଟଣାର ଉତ୍ତରରେ ମାଝୀ କହିଛନ୍ତି ଯେ କେନ୍ଦ୍ର ସରକାର ଓଡିଶାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଯୋଗାଇଦେଇଥିବା ପାଣ୍ଠିରୁ କାଳିଆ ଭଳି ଏକ ଅସ୍ଥାୟୀ ଯୋଜନାକୁ କାର୍ଯ୍ୟକାରୀ କରିବାର ପ୍ରୟାସରେ ଖର୍ଚ୍ଚ କରିଦେଇ ବର୍ତ୍ତମାନ ଆଉ ଅର୍ଥ ନଥିବା ଯୋଗୁ ବିଜେଡି ସରକାର ଅଧାବାଟରେ ଝୁଣ୍ଟି ପଡିଛନ୍ତି ।
ଚାଷୀଙ୍କୁ କାଳିଆ ଯୋଜନାରୁ କିଛି ଦୀର୍ଘମିଆଦି ଲାଭ ମିଳିବ ନାହିଁ ବୋଲି କହି ସେ ସମାଲୋଚନା କରିଛନ୍ତି । ରାଜ୍ୟ ତମାମ ଗରିବ ଚାଷୀଙ୍କ ଠାରୁ ଚାଷ ଜମିରେ ଜଳସେଚନ କରିବା ପାଇଁ ବୋରୱେଲ ଖୋଳିବା ପାଇଁ ଅର୍ଥ ସଂଗ୍ରହ କରି ବିଜେଡି ସରକାର କାହିଁକି ଚୁପ ହୋଇ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଚାଷୀଙ୍କୁ ଜଳସେଚନ ଉଦ୍ଦେଶ୍ୟରେ ବିଜୁଳି ଯୋଗାଇଦେବା ପାଇଁ ସ୍ବତନ୍ତ୍ର ଗ୍ରୀଡ ବସାଇଥିଲେ ଚାଷୀ ଅଧିକ ରିହାତି ପାଇଥାନ୍ତା । କିନ୍ତୁ ରାଜ୍ୟ ସରକାର ସେ ବିଜେଡି ସାଂସଦ ଥିଲା ବେଳେ ସେ ଦେଇଥିବା ଏଭଳି ଗଠନମୂଳକ ଓ ଦୀର୍ଘମିଆଦି ଯୋଜନାର ପ୍ରସ୍ତାବ ପ୍ରତି ଅଣଦେଖା କରିଛନ୍ତି ବୋଲି ମାଝୀ ଓଲଟା ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ