କେନ୍ଦୁଝର:ମନୁଷ୍ୟ ହେଉ କି ପଶୁ, ସମସ୍ତଙ୍କ ଜୀବନ ମୂଲ୍ୟବାନ । ବିପଦ ସମୟରେ ଜୀବନ ବଞ୍ଚାଇବା ଅଗ୍ନିଶମ ବିଭାଗର ମୂଳଲକ୍ଷ୍ୟ । ଏହି ଲକ୍ଷକୁ ପୂରଣ କରି ଦେଖେଇଛନ୍ତି ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଭଙ୍ଗାବନ୍ଧ ଗ୍ରାମରେ ଅଗ୍ନିସମ କର୍ମଚାରୀ ।
ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ନିଜ ବିଲ ନିକଟରେ ଏକ ବୋରୱେଲ ଖୋଲିଥିଲେ । ଏଥିରୁ ପାଣି ବାହାରି ନଥିବା ବେଳେ ଏହା ସମ୍ପୁର୍ଣ୍ଣ ଖୋଲାଥିଲା । ଉକ୍ତ ଗ୍ରାମର ସୁଦର୍ଶନ ମୁଣ୍ଡା ନାମକ ବ୍ୟକ୍ତି ନିଜ ଛେଳି ଚରାଉ ଥିବା ବେଳେ ଏକ ଛେଳି ଏହି ବୋରୱେଲରେ ଗଳି ପଡି ୧୫ ଫୁଟ ତଳକୁ ଚାଲି ଯାଇଥିଲା ।
ଖବର ପାଇ ନିକଟସ୍ଥ ଆହାରପଡା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଜେସିବି ମେସିନ ସହାୟତା ରେ ବୋରୱେଲନିକଟରୁ ମାଟି ଖୋଳି ଛେଳିଟିକୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗର ଉକ୍ତ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ