ବାଙ୍ଗାଲୁରୁ: ଇଚ୍ଛାଶକ୍ତି ଥିଲେ ଅଭାବ ସାଜେନା ପ୍ରତିବନ୍ଧକ । ବରଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଧିକ ଆଦୃତ କରେ । ଏକଥା ପ୍ରମାଣ କରିଛନ୍ତି କର୍ଣ୍ଣାଟକର ଡାଭେଙ୍ଗେରର ଛାତ୍ର ରଜିକ ଉଲ୍ଲା । ଦାରିଦ୍ର୍ୟ ଭିତରେ ବିସ୍ମୟ ସଫଳତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଡାଭେଙ୍ଗେରର ଇଂରାଜୀ ଏମଏମ ଛାତ୍ର ରଜିକ ଉଲ୍ଲା ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ରଜିକ ଉଲ୍ଲା ଡାଭେଙ୍ଗେର ଜିଲ୍ଲା ମାଲେବେନୁର ଗ୍ରାମ ହରିହର ତାଲୁକର ସ୍ଥାନୀୟ ବାସିନ୍ଦା ଅଟନ୍ତି । ପରିବାରରେ ତାଙ୍କର 6 ଜଣ ସଦସ୍ୟ ଅଛନ୍ତି । ଦାରିଦ୍ର୍ୟତା ଭିତରେ ରଜିକଙ୍କ ପିତା ଶ୍ରମିକ କାମ କରି ଯାହା ପାରିଶ୍ରମିକ ପାଆନ୍ତି ସେଥିରେ ତାଙ୍କ ଘର ଚଳେ । କିନ୍ତୁ ପିତାଙ୍କ ଏଭଳି ସଂଘର୍ଷକୁ ସହ୍ୟ କରି ପାରନ୍ତି ନାହିଁ ରଜିକ । ସେ ମଧ୍ୟ ପିତାଙ୍କ ସହ ଶ୍ରମ କରିବା ପାଇଁ ଯାଆନ୍ତି । ଏହାରି ଭିତରେ ସେ ତାଙ୍କ ପାଠପଢ଼ା ପ୍ରତି କେବେ ଅବହେଳା କରିନାହାଁନ୍ତି । କାମ କରିବା ସହ ଉଚ୍ଚଶିକ୍ଷାକୁ ମଧ୍ୟ ସମାପ୍ତ କରିଛନ୍ତି । ରଜିକ ସପ୍ତାହରେ ତିନିଦିନ କଲେଜ ଯାଆନ୍ତି ଓ ବାକି ଦିନ ପିତାଙ୍କ ସହ କାମ କରନ୍ତି । ପଢ଼ା ପ୍ରତି ଥିବା ତାଙ୍କର ଆଗ୍ରହ ଓ ଇଚ୍ଛାଶକ୍ତି ତାଙ୍କୁ ଶିଖର ଛୁଇଁବାରେ ସାହାଯ୍ୟ କରିଛି ।
ଇଂରାଜୀ ଏମଏ ଶେଷ ପରୀକ୍ଷାରେ ସେ ଡାଭେଙ୍ଗେର ବିଶ୍ବ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଦୁଇଟି ସ୍ବର୍ଣ୍ଣ ପଦକ ଦିଆଯାଇଛି। ରଜିକ ଉଲ୍ଲାଙ୍କ ସଫଳତା ପାଇଁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଖାଲି ସେତିକି ନୁହେଁ ସାରା ଜିଲ୍ଲା ମଧ୍ୟ ପ୍ରଶଂସା କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ହରିହରା ତାଲୁକ ଅଞ୍ଚଳରେ ପହଞ୍ଚି ରଜିକଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ । ରଜିକ ଉଲ୍ଲା ନିଜ ପ୍ରତିକ୍ରିୟାରେ କହିଛନ୍ତି ସଫଳତାର ଶେୟ ସେ ତାଙ୍କ ପରିବାର ଲୋକଙ୍କୁ ଦେବେ । ପାଠପଢ଼ାରେ ପରବାର ଲୋକଙ୍କ ସମେତ ବନ୍ଧୁମାନେ ମଧ୍ୟ ସାହାଯ୍ୟ କରିଥିବା ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ