ନୂଆଦିଲ୍ଲୀ: ଯାହା ରାଜଧାନୀ ଦିଲ୍ଲୀରେ କେବେ ହୋଇନଥିଲା ତାହା ଚଳିତ ବର୍ଷାରେ ହେଲା । ବନ୍ୟାରେ ଉବୁଟୁବୁ ହେଲା ରାଜଧାନୀ । ଯମୁନାର ଜଳସ୍ତର ସର୍ବକାଳୀନ ରେକର୍ଡ ଅତିକ୍ରିମ କଲା । ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ହରିୟାଣାର ଭୂମିକା କଥା ଉଠାଇଲେ । ଯମୁନାରେ ଜଳସ୍ତର ବୃଦ୍ଧି ହେବାର କାରଣ ଯମୁନାର ଉପରମୁଣ୍ଡରେ ଥିବା ହରିୟାଣରର ହଥିନୀକୁଣ୍ଡ ବ୍ୟାରେଜରୁ ଅନିୟନ୍ତ୍ରିତ ଭାବେ ଜଳ ଛଡାଯିବାକୁ କାରଣ ଭାବେ ଦର୍ଶାଇଥିଲ କେଜ୍ରିଓ୍ବାଲ ।
ଏବେ ଯମୁନାରେ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ହଲେ ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା ଦୂର ହୋଇନି । ଏବେ ମଧ୍ୟ ବୁଡି ରହିଛି ପ୍ରାୟ ଅଧା ଦିଲ୍ଲୀ । ଏହାରି ମଧ୍ୟରେ ବନ୍ୟା ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଗଲାଣି । ଦିଲ୍ଲୀରେ ବନ୍ୟା ସ୍ଥିତି ସୃଷ୍ଟି କରିବା କେନ୍ଦ୍ର ଓ ହରିୟାଣା ସରକାରଙ୍କ ଏକ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ବୋଲି ସଙ୍ଗୀନ ଅଭିଯୋଗ କରିଛି ଶାସକ ଆମ ଆଦମୀ ପାର୍ଟି ।
ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ବାଜ ସିଧା କେନ୍ଦ୍ର ସରକାର ଓ ହରିୟାଣରେ ଶାସନରେ ଥିବା ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି । ସୃଷ୍ଟି ହୋଇଥିବା ବନ୍ୟା କେନ୍ଦ୍ର- ହରିୟାଣା ସରକାରଙ୍କ ଏକ ମିଳିତ ଷଡଯନ୍ତ୍ର । ଏକ ପ୍ରେସମିଟକୁ ସମ୍ବୋଧିତ କରି ଭରଦ୍ବାଜ କହିଛନ୍ତି, ଦିଲ୍ଲୀରେ ଗତ 3 ରୁ 4 ଦିନ ହେବ ବର୍ଷା ହୋଇନଥିଲା । ହେଲେ ଯମୁନା ଜଳସ୍ତର 208.66 ମିଟର ଛୁଇଁଲା । ହରିୟାଣା ସରକାର ଉଦ୍ଦେଶ୍ୟମୂଳକ ଭାବେ ଯମୁନାରେ ବନ୍ୟାଜଳ ଛାଡିବା ପରେ ଏପରି ବନ୍ୟା ସ୍ଥିତି ସୃଷ୍ଟି ହେଲା । 9 ରୁ 13 ତାରିଖ ମଧ୍ୟରେ ଷଡଯନ୍ତ୍ରମୂଳକ ଭାବେ ଯମୁନା ନଦୀର ଉପରମୁଣ୍ଡରେ ଥିବା ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ 3ଟି କେନାଲ ଦେଇ ବନ୍ୟାଜଳ ଛଡାଗଲା । ଫଳରେ ଯମୁନା ଅନିୟନ୍ତ୍ରିତ ଭାବେ ଫୁଲିବା ସହ ଦିଲ୍ଲୀରେ ବନ୍ୟା ହେଲା ।
ତେବେ ଶାସକ ଆମ ଆଦମୀ ପାର୍ଟିର ଏହି ସଙ୍ଗୀନ ଅଭିଯୋଗକୁ ନେଇ ପାଲଟା ଅଭିଯୋଗ କରିଛି ବିଜେପି । ଦିଲ୍ଲୀ ବନ୍ୟା ପାଇଁ ଆମ ଆଦମୀ ପାର୍ଟି ସରକାର ହିଁ ଦାୟୀ । ଦିଲ୍ଲୀ ସରକାର ବନ୍ୟା ପରିଚାଳନା ଓ ମୁକାବିଲାରେ ବିଫଳ ହୋଇଛନ୍ତି । ଏକ ପ୍ରେସମିଟରେ ବିଜେପି ପ୍ରବକ୍ତା ଗୌରବ ଭାଟିଆ ଅଭିଯୋଗ କରିଛନ୍ତି, ଆମ ଆଦମୀ ପାର୍ଟିର ଗତ 8 ବର୍ଷ ଶାସନରେ ଯମୁନାକୁ ସଫା କରାଯାନଥିଲା । ଫଳରେ ଚଳିତ ବର୍ଷ ଏପରି ସ୍ଥିତି ସୃଷ୍ଟି ହେଲା । ଆମ ଆଦମୀ ପାର୍ଟି ସରକାରଙ୍କ ବିଫଳତାରୁ ଦିଲ୍ଲାବାସୀ ବନ୍ୟା ଦୁର୍ଦ୍ଦଶା ଭୋଗିଲେ । ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଜଧାନୀବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।
ଏହା ମଧ୍ୟ ପଢନ୍ତୁ:-Delhi Flood: ଜଳମୟ ଜାତୀୟ ରାଜଧାନୀ, ଆକାଶମାର୍ଗରୁ ଦେଖନ୍ତୁ ଦୃଶ୍ୟ
ଆମ ଆଦମୀ ପାର୍ଟି ସରକାର ଦୁର୍ନୀତିରେ ବୁଡି ରହିଛନ୍ତି କିନ୍ତୁ ଅନ୍ୟ ଉପରେ ଦୋଷାରୋପ କରିବା ଜାରି ରଖିଛନ୍ତି । କୋଭିଡ ସମୟରେ ମଧ୍ୟ ସେମାନେ ଏପରି ସମାନ ଅଭିଯୋଗ କରିଥିଲେ । ଦିଲ୍ଲୀରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର, ଉପରାଜ୍ୟପାଳ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ସେନା ସମେତ ସମସ୍ତ କେନ୍ଦ୍ରୀୟ ଜରୁରୀ ବିଭାଗ ପ୍ରଭାବୀ କାର୍ଯ୍ୟ ଜାରି ରଖିଛନ୍ତି । ବନ୍ୟା ପ୍ରଭାବିତଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ସମସ୍ତ ପ୍ରୟାସ ଜାରି ରହିଥିବା ବିଜେପି କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ