ହାଇଦ୍ରାବାଦ: ନୂଆବର୍ଷ 2025 ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଖାସ୍ ହେବାକୁ ଯାଉଛି । ଆଗାମୀ 6 ମାସ ମଧ୍ୟରେ ଇସ୍ରୋ ଗୋଟିଏ ପରେ ଗୋଟିଏ ବଡ଼ ଐତିହାସିକ ମିଶନ ଲଞ୍ଚ କରିବ । ଏହାରି ମଧ୍ୟରେ ଏବେ ଗଗନ ଯାନ ମିଶନ ସହିତ ଭାରତ-ଆମେରିକାର ଏଯାବତ ସବୁଠୁ ମହଙ୍ଗା ମିଶନ NISAR ମଧ୍ୟ ସାମିଲ । ଏହାବାଦ ଅନ୍ୟ ଏକ ଚର୍ଚ୍ଚିତ ମିଶନ ହେଉଛି ଇସ୍ରୋ ଲଞ୍ଚ କରିବାକୁ ଥିବା ଆମେରିକାର ଏକ ସାଟେଲାଇଟ୍ । ଯାହାଦ୍ବାରା ମହାକାଶରୁ ଯେକୌଣସି ମୋବାଇଲରୁ କଲ୍ କରିବା ଆଉ ସ୍ବପ୍ନ ହୋଇ ରହିବ ନାହିଁ ।
ଇସ୍ରୋ 2025 ଫେବୃଆରୀ-ମାର୍ଚ୍ଚରେ ଏକ ଆମେରିକୀୟ କମ୍ୟୁନିକେସନ ସାଟେଲାଇଟ୍ ଲଞ୍ଚ କରିପାରେ । ଏ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ତାଙ୍କ କହିଛନ୍ତି, "ଫେବୃଆରୀ କିମ୍ବା ମାର୍ଚ୍ଚରେ ଆମେ ମୋବାଇଲ୍ ଯୋଗାଯୋଗ ପାଇଁ ଆମେରିକାର ଉପଗ୍ରହ ଉତକ୍ଷେପଣ କରିବୁ, ଏହି ଉପଗ୍ରହ ମୋବାଇଲ ଫୋନରେ ଭଏସ୍ ଯୋଗାଯୋଗକୁ ସକ୍ଷମ କରିବ । ଏହା ଏକ ଚମତ୍କାର ମିଶନ ହେବାକୁ ଯାଉଛି ।"
କଣ ଏହି ମିଶନ ?
ଇସ୍ରୋ ଆମେରିକାର AST SpaceMobile କମ୍ପାନୀର ସାଟେଲାଇଟ୍କୁ ଲଞ୍ଚ କରିବ । ଏହି ମିଶନ ଏକ ଖାସ୍ ଟେକନିକ ଉପରେ ଆଧାରିତ, ଯାହାକି ମୋବାଇଲକୁ ସିଧା ସାଟେଲାଇଟ୍ ସହ ସଂଯୋଗ କରିବାର କ୍ଷମତା ରଖିବ । ଏହା ପ୍ରଥମ ଥର ଲାଗି ହେବ, ଯେତେବେଳେ କୌଣସି ଆମେରିକା କମ୍ପାନୀ ଭାରତ ରକେଟ୍ ସାହାଯ୍ୟରେ ଏକ ବିଶାଳ କମ୍ୟୁନିକେସନ ସାଟେଲାଇଟ୍ ଲଞ୍ଚ କରିବ । ଭାରତ ଏଯାବତ ଆମେରିକୀୟ କମ୍ପାନୀର ଛୋଟ ସାଟେଲାଇଟ୍କୁ ଲଞ୍ଚ କରିଛି । ଏହି ସାଟେଲାଇଟ୍ର ଉଦ୍ଦେଶ୍ୟ ହେଉଛି ଦୁନିଆର ଯେକୌଣସି କୋଣରୁ ମୋବାଇଲ ଫୋନର ଉପଯୋଗ କରିବା ।
American satellite-based internet provider company AST SpaceMobile has purchased the services of #ISRO's LVM3 rocket to launch the first satellite of their Block 2 BlueBird constellation in mid-2025! 🚀 pic.twitter.com/QEV40Wfy5T
— ISRO Spaceflight (@ISROSpaceflight) November 15, 2024
କେମିତି କାମ କରିବ ଏହି ସିଷ୍ଟମ ?
ଏହି ସାଟେଲାଇଟ୍ ଏକ ବଡ଼ ଓ ଉନ୍ନତମାନର ସାଟେଲାଇଟ୍ ହେବ । ଯାହାକୁ ଡାଇରେକ୍ଟ-ଟୁ-ସେଲ୍ ଟେକନିକ ଉପରେ ଡିଜାଇନ କରାଯାଇଛି । ଏହି ସାଟେଲାଇଟ୍ ସିଧାସଳଖ ଫୋନକୁ ସିଗ୍ନାଲ ପଠେଇବ, ଯାହାଦ୍ବାରା ବିନା କୌଣସି ଇଣ୍ଟରମିଡିଅରି ଟାୱାର ବା ନେଟୱର୍କ ସହାୟତାରେ ମୋବାଇଲ କାମ କରିବ । ଏହାର ଅର୍ଥ ଆପଣଙ୍କ ମୋବାଇଲ ଫୋନ ସିଧାସଳଖ ମହାକାଶ ସହିତ କନେକ୍ଟ ହେବ । ଇସ୍ରୋ ଲାଗି ଏହି ମିଶନ ଏକ ବଡ଼ ସଫଳତା ହେବ, ଯାହାକି ଅନ୍ତର୍ଜାତୀୟ ମହାକାଶ ମିଶନରେ ଭାରତର ଭୂମିକାକୁ ମଜଭୁତ କରିବ ।
ଅଧା ଫୁଟବଲ ପଡ଼ିଆ ଭଳି ହେବ ଆଣ୍ଟିନା
ଏହି ସାଟେଲାଇଟ୍ର ଆଣ୍ଟିନା ପ୍ରାୟ 64 ବର୍ଗ ମିଟରର ହେବ, ଯାହାକି ଅଧା ଫୁଟବଲ ପଡ଼ିଆ ଆକାର ସହିତ ସମାନ । ପାଖାପାଖି 600 କିଲୋଗ୍ରାମ ଓଜନର ହେବ ଓ ଏହାକୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ଇସ୍ରୋ LVM-3 ରକେଟ୍ ସହାୟତାରେ ନିମ୍ନ କକ୍ଷପଥରେ ସ୍ଥାପିତ କରାଯିବ ।
ଏହି ସାଟେଲାଇଟ୍ରୁ କଣ ମିଳିବ ଫାଇଦା ?
- ପୁରା ବିଶ୍ବକୁ ନେଟୱର୍କ କଭରେଜ୍: ଏବେ ଦୁର୍ଗମ ଅଞ୍ଚଳକୁ ମଧ୍ୟ ନେଟୱର୍କ ମିଳିପାରିବ ।
- ବିପର୍ଯ୍ୟୟ ପରିଚାଳନାରେ ସୁବିଧା: ବନ୍ୟା, ବାତ୍ୟା ଓ ଭୂମିକମ୍ପ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ମୋବାଇଲ ଟାୱାର କାମ କରିବ ନାହିଁ, ସେତେବେଳେ ଏହି ଟେକ୍ନୋଲୋଜି ବେଶ୍ ଉପଯୋଗୀ ହୋଇପାରିବ ।
- ଶସ୍ତା ଓ ସୁଲଭ ନେଟୱର୍କ: ମୋବାଇଲ ନେଟୱର୍କ କମ୍ପାନୀର ଖର୍ଚ୍ଚ ହ୍ରାସ ପାଇବ, ଯାହାର ସିଧାସଳଖ ଲାଭ ଉପଭୋକ୍ତାଙ୍କୁ ମିଳିବ ।
- ମୋବାଇଲ ନେଟୱର୍କ ବଦଳାଇବା ଅନାବଶ୍ୟକ: କମ୍ପାନୀର କହିବାନୁସାରେ, ଏହି ସେବା ପାଇଁ ଆପଣଙ୍କୁ କୌଣସି ନେଟୱର୍କ ପ୍ରଦାନକାରୀ କମ୍ପାନୀକୁ ପରିବର୍ତ୍ତନ ହେବା ଆବଶ୍ୟକ ନାହିଁ । ଅର୍ଥାତ ଏୟାରଟେଲ, ଭୋଡାଫୋନ, ଜିଓ ଆଦି ନେଟୱର୍କ ବ୍ୟବହାର କରୁଥିଲେ ନେଟୱର୍କ ବଦଳାଇବାର ଆବଶ୍ୟକତା ନାହିଁ । ଏଥିଲାଗି ବିଶ୍ବରେ ମୋବାଇଲ ନେଟୱର୍କ ସେବା ପ୍ରଦାନ କରୁଥିବା କମ୍ପାନୀ ସହିତ ଆମେରିକୀୟ କମ୍ପାନୀ କାମ କରିବ ।