ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବାସଭବନରୁ ହଟିଲା ଭାରତୀୟ କୁସ୍ତି ମହାସଂଘ (WFI) କାର୍ଯ୍ୟାଳୟ । ପୂର୍ବରୁ ଏନେଇ ଗଭୀର ଭାବେ ଆପତ୍ତି ଉଠାଇଥିଲା କେନ୍ଦ୍ରୀ ମନ୍ତ୍ରଣାଳୟ । ଏହାପରେ ଆଜି (ଶୁକ୍ରବାର) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଜାତୀୟ ରାଜଧାନୀ ଦିଲ୍ଲୀର ଏକ ସ୍ଥାନରେ ଭାରତୀୟ କୁସ୍ତି ମହାସଂଘର ନୂତନ କାର୍ଯ୍ୟାଳୟରୁ ସମସ୍ତ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି ।
ଗତ ଡିସେମ୍ବର ୨୪ ତାରିଖରେ କ୍ରୀଡା ମନ୍ତ୍ରଣାଳୟ ବ୍ରିଜଭୂଷଣର ଘନିଷ୍ଠ ସଞ୍ଜୟ ସିଂଙ୍କ ନେତୃତ୍ବରେ ନବଗଠିତ ଡବ୍ଲ୍ୟୁଏଫଆଇ ପ୍ୟାନେଲକୁ ନିଲମ୍ବିତ କରିଥିଲା । ସଞ୍ଜୟ ସିଂ WFIର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ମନ୍ତ୍ରଣାଳୟ । ବ୍ରିଜଭୂଷଣଙ୍କ ବାସଭବନରୁ WFIର କାର୍ଯ୍ୟାଳୟକୁ ଚଲାଇବା ମଧ୍ୟ ଏହାର ଏକ କାରଣ ବୋଲି କୁହାଯାଇଥିଲା ।
ଏହା ବି ପଢନ୍ତୁ- କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ପୁନିଆ
ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ଚିଠିରେ କୁହାଯାଇଥିଲା, "ମହାସଂଘର କାର୍ଯ୍ୟକୁ ପୂର୍ବ ପଦାଧିକାରୀ (ବ୍ରିଜଭୂଷଣ)ଙ୍କ ନିୟନ୍ତ୍ରଣରେ କରାଯାଉଛି । ବ୍ରିଜଭୂଷଣଙ୍କ ଉପରେ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଯୌନ ନିର୍ଯାତନାର ଅଭିଯୋଗ ମଧ୍ୟ ରହିଛି । ଏବେ ଏହି ମାମଲାଟି କୋର୍ଟରେ ବିଚାରଧୀନ ରହିଛି । ମହାସଂଘର ନୂଆ ପ୍ୟାନେଲ ସମ୍ପୂର୍ଣ୍ଣ ଭାବେ ପୂର୍ବ ପଦାଧିକାରୀଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିଲା । ଯାହାକି ଜାତୀୟ କ୍ରୀଡା ସଂହିତାର ଉଲ୍ଲଘଂନ କରୁଛି ।"
ଦୀର୍ଘ ଦିନ ଧରି ଅଲମ୍ପିକ ବିଜେତା ସାକ୍ଷୀ ମଲ୍ଲିକଙ୍କଠୁ ଆରମ୍ଭ କରି ବିଶ୍ବ ଚମ୍ପିଆନସିପ ବିଜେତା ବିନେଶ ଫୋଗାଟ ପର୍ଯ୍ୟନ୍ତ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଗିରଫ ଦାବିରେ ଧାରଣାରେ ବସିଥିଲେ । ଏବେ ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ରହିଛି । ଏପରିକି ତାଙ୍କୁ WFI ଅଧ୍ୟକ୍ଷ ପଦରୁ ହଟାଇବା ସହ ଗିରଫ ଦାବିରେ ଅନେକ ଦିନ ଧରି କୁସ୍ତିଯୋଦ୍ଧାମାନେ ଦିଲ୍ଲୀ ଜନ୍ତର ମନ୍ତରଠାରେ ଧାରଣାରେ ବସିଥିଲେ । ମାତ୍ର ତାଙ୍କ କାର୍ଯ୍ୟାଳୟ ଶେଷ ହେବା ପରେ ବ୍ରିଜଭୂଷଣ ଅଧ୍ୟକ୍ଷ ପଦରୁ ହଟିଥିଲେ । ଏହାପରେ ତାଙ୍କ ସହଯୋଗୀ ସଞ୍ଜୟ ସିଂ WFI ଅଧ୍ୟକ୍ଷ ହେବା ପରେ ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ୟାସ ନେଇଥିଲେ । ସେହିପରି ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ସମ୍ମାନକୁ ଫେରସ୍ତ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ