ହାଇଦ୍ରାବାଦ: ମାଟିରୁ ଆମର ଜନ୍ମ । ଆଉ ମୃତ୍ୟୁ ପରେ ବି ଆମ ଶରୀର ମାଟିରେ ମିଶେ । ମାଟି ସହ ମଣିଷ ଓତଃପ୍ରବୃତ୍ତ ଭାବେ ଜଡିତ । ମୃତ୍ତିକାରୁ ଖାଦ୍ୟ ପାନୀୟ ପାଇ ଆମେ ବଞ୍ଚୁ । ମାଟିରୁ ଆମକୁ ୯୫ ପ୍ରତିଶତ ଖାଦ୍ୟ ମିଳେ । ମାଟି ରହିଲେ ହିଁ ଇକୋଷିଷ୍ଟମରେ ସମନ୍ବୟ ସମ୍ଭବ । ମୃତ୍ତିକା ସଂରକ୍ଷଣ ହୋଇପାରିଲେ ଆମେ ସୁସ୍ଥ ରହିବା । ଖାଦ୍ୟ ଓ ଶସ୍ୟ ସଂଗଠନ(FAO) ପକ୍ଷରୁ ପ୍ରତିବର୍ଷ ଡିସେମ୍ବର 5କୁ ବିଶ୍ବ ମୃତ୍ତିକା ଦିବସ (world Soil Day) ରୂପେ ପାଳନ କରାଯାଇଥାଏ । ମନୁଷ୍ୟ ବ୍ୟବହାର ପାଇଁ, ଖାଦ୍ୟ ସୁରକ୍ଷା, ଇକୋସିଷ୍ଟମ ଆଦି ପାଇଁ ମୃତ୍ତିକା ଦିବସ ପାଳନ କରାଯାଇଥାଏ ।
ଇତିହାସ:
2002 ମସିହାରେ ଇଣ୍ଟରନ୍ୟାସନାଲ୍ ୟୁନିଅନ ଅଫ୍ ସଏଲ୍ ସାଇନ୍ସ(IUSS)ପକ୍ଷରୁ ଏହି ଦିବସ ପାଳନ କରାଗଲା । ଥାଇଲାଣ୍ଡର ଅଧ୍ୟକ୍ଷତାରେ ଏହି ଦିବସକୁ ପାଳନ କରାଗଲା । ଏହାପରେ ଜୁନ 2013ରେ ସଂଯୁକ୍ତ ରାଷ୍ଟ୍ରର 68ତମ ସାଧାରଣ ଅଧିବେଶନରେ ଏହାକୁ ବିଶ୍ବ ସ୍ତରୀୟ ମାନ୍ୟତା ଦେବା ପାଇଁ ଅପିଲ୍ କରାଗଲା । କିନ୍ତୁ ଏହି ଅଧିବେଶନରେ ଡିସେମ୍ବର 5କୁ ମୃତ୍ତିକା ଦିବସ ରୂପେ ଚୟନ କରାଗଲା । କାରଣ ଡିସେମ୍ବର 5, ଥାଇଲାଣ୍ଡର ରାଜା ଏଚ ଏମ୍ କିଙ୍ଗ ଭୁମିବୋଲ ଅଦୁଲ୍ୟଦେଜଙ୍କ ଜନ୍ମଦିନ । ତାଙ୍କର ଜନ୍ମଦିବସକୁ ମୃତ୍ତିକା ଦିବସ ରୂପେ ପାଳନ କରାଯାଏ ।
ଭାରତରେ ମୃତ୍ତିକା ଅବକ୍ଷୟ:
2018ରେ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ନିର୍ମାଣ ହୋଇଥିବା ନ୍ୟାସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ସଂସ୍ଥା, ଏକ ରିସର୍ଚ୍ଚ କରିଥିଲା । ରିସର୍ଚ୍ଚ ମୁତାବିକ୍ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ପୂର୍ଣ୍ଣ ମୃତ୍ତିକା ଅବକ୍ଷୟ ହୋଇସାରିଛି । ଗତ 26 ବର୍ଷ ମଧ୍ୟରେ 33 ପ୍ରତିଶତ ମୃତ୍ତିକା ଅବକ୍ଷୟ ହୋଇସାରିଛି । ଭାରତର ୧୪୭ ମିଲିୟନ ହେକ୍ଟର ମୃତ୍ତିକା ଅବକ୍ଷୟ ହୋଇଛି । ରିସର୍ଚ୍ଚରେ ପଶ୍ଚିମବଙ୍ଗରେ ସର୍ବାଧିକ 99 ବର୍ଗ କିଲୋମିଟର ମୃତ୍ତିକା ଅବକ୍ଷୟ ହୋଇଛି । ଯଦି ଏହି ପରି ଚାଲେ ଭବିଷ୍ୟତରେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଶେଷଜ୍ଞ କହିଛନ୍ତି ।
ବିଶ୍ବ ମୃତ୍ତିକା ଦିବସ ୨୦୨୧: ମୃତ୍ତିକାର ଅବକ୍ଷୟ ପ୍ରକ୍ରିୟା ସାଧାରଣତଃ ମୃତ୍ତିକାର ଲବଣାକ୍ତ ଏବଂ ସୋଡିଫିକେସନ୍ କାରଣରୁ ହୋଇଥାଏ | ଏହା ଇକୋସିଷ୍ଟମ ପାଇଁ ବିପଦପୂର୍ଣ୍ଣ । କୃଷି ଉତ୍ପାଦନ, ଖାଦ୍ୟ ନିରାପତ୍ତା ଏବଂ ସ୍ଥିରତା ପାଇଁ ବିଶ୍ବ ସ୍ତରରେ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ସୃଷ୍ଟି କରେ । ଏକ ସୁସ୍ଥ ଇକୋସିଷ୍ଟମର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ମୃତ୍ତିକା ଦିବସ ପାଳିତ ହେଉଛି ।
ବିଶ୍ବ ମୃତ୍ତିକା ଦିବସ ଥିମ୍: ଚଳିତ ବର୍ଷ ମୃତ୍ତିକା ଦିବସର ଥିମ ରହିଛି 'ମୃ୍ତ୍ତିକାରୁ ଲବଣାକ୍ତରୁ ରକ୍ଷାକର ଏବଂ ଉତ୍ପାଦନ କ୍ଷମତା ବଢାଅ' (‘Halt soil salinization, boost soil productivity’) ।
ମୃତ୍ତିକା କ୍ଷୟ କାରଣରୁ ମୃତ୍ତିକା ଗଠନରେ ସାମଞ୍ଜସ୍ୟ ରହେ ନାହିଁ । ଜଙ୍ଗଲ କ୍ଷୟ, ବର୍ଷା ଜଳ ସଂରକ୍ଷଣ ନ ହେବା, କଳକାରଖାନାର ବର୍ଜ୍ୟବସ୍ତୁ ମାଟିରେ ମିଶିବା ଭଳି ଅନେକ କାରଣ ମୃତ୍ତିକା କ୍ଷୟର କାରଣ ପାଲଟିଛି । କୁହାଯାଏ ମାଟି ଆମର ମାଆ । ମାଟିରେ ସୁନାର ଫସଲ ହସି ଉଠେ । ମାଟିର ଗୁଣବତ୍ତା ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ସହ ଲଢିବାରେ ସହାଯ୍ୟ କରେ । ସୁସ୍ଥ ପରିବେଶ ପାଇଁ ମାଟିର ସୁରକ୍ଷା ଆବଶ୍ୟକ । ଏହା କେବଳ ମଣିଷ ହାତରେ ଅଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ