ନୂଆଦିଲ୍ଲୀ: ଗତକାଲି (ଶନିବାର) 74 ତମ ସ୍ଥଳସେନା ଦିବସ ପାଳିଛି ଦେଶ । ସେନା ଦିବସ ପରେଡରେ ଉଦବୋଧନ ଦେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ପଡୋଶୀ ଦେଶକୁ ଚେତାବନୀ ଦେଇଛନ୍ତି (Won’t allow any change in at border says Army Chief) । ଏହା ସହ ଦେଶର ସୀମାରେ ଏକପାଖିଆ ଭାବେ କୌଣସି ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସେନାମୁଖ୍ୟ ।
ସେ ଆହୁରି କହିଛନ୍ତି ଗତବର୍ଷ ଚୀନ ସୈନ୍ୟଙ୍କ ଉପସ୍ଥିତି ଭାରତୀୟ ସେନାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏକାଧିକ ଥର ଉଭୟ ସେନା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇଦେଶ ମଧ୍ୟରେ ସେନା କମାଣ୍ଡରଙ୍କ ମଧ୍ୟରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ମିଳିତ ଉଦ୍ୟମରେ କେତେକ ଅଞ୍ଚଳରୁ ସେନା ପ୍ରତ୍ୟାହାର ହୋଇଥିବା କହିଛନ୍ତି ନରୱାଣେ । ଆମର ଧୈର୍ଯ୍ୟ ଆମ ଆତ୍ମବିଶ୍ବାସର ପ୍ରତୀକ । କେହି ଏହାକୁ ପରୀକ୍ଷା କରିବାର ଭୁଲ ନ କରନ୍ତୁ ବୋଲି କହିଛନ୍ତି ଜେନେରାଲ ନରୱାଣେ ।
ସୀମାରେ ସ୍ଥିତି ପୂର୍ବବର୍ଷ ଅପେକ୍ଷା ଭଲ ଅଛି । ତଥାପି ପାକିସ୍ତାନ ଆତଙ୍କୀବାଦୀମାନଙ୍କୁ ଭାରତ ମଧ୍ୟରେ ଅନୁପ୍ରବେଶ ନକରାଇବା ଲାଗି ଉଦ୍ୟମ ଜାରି ରହିଛି । ଅନୁପ୍ରବେଶ ପାଇଁ ପାକ ଅଧିକୃତ କାଶ୍ମୀରର ବିଭିନ୍ନ ଲଞ୍ଚ ପ୍ୟାଡ ଓ ପ୍ରଶିକ୍ଷଣ ଶିବିରରେ ୩୦୦ରୁ ୪୦୦ ଆତଙ୍କବାଦୀ ଅପେକ୍ଷା କରି ରହିଛନ୍ତି । ସେନା କାର୍ଯ୍ୟାନୁଷ୍ଠାନରେ ମୋଟ ୧୪୪ ଆତଙ୍କବାଦୀ ନିହତ ହୋଇଛନ୍ତି । ତୁଷାରାବୃତ୍ତ ପାର୍ବତ୍ୟାଞ୍ଚଳରେ ସେନା ମୁତୟନ ରହି ଦେଶକୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ମନୋବଳ ଊର୍ଦ୍ଧ୍ବରେ ରହିଛି ବୋଲି କହିଛନ୍ତି ଜେନେରାଲ ନରୱାଣେ ।
ଆହୁରି ପଢନ୍ତୁ...Army Day: ଜାଣନ୍ତୁ 15 ଜାନୁୟାରୀରେ କାହିଁକି ହୁଏ ପାଳନ ? କିଏ ଥିଲେ ପ୍ରଥମ ସେନାମୁଖ୍ୟ
ପ୍ରକାଶ ଥାଉ କି, 1949 ଜାନୁୟାରୀ 15ରେ ଭାରତୀୟ ସେନାକୁ ମିଳିଥିଲା ପ୍ରଥମ ସେନା ଅଧ୍ୟକ୍ଷ । ଫିଲ୍ଡ ମାର୍ଶଲ କରିୟପ୍ପା ହୋଇଥିଲେ ଭାରତୀୟ ସ୍ଥଳସେନାର ପ୍ରଥମ ଅଧ୍ୟକ୍ଷ । ତାଙ୍କରି ସମ୍ମାନରେ ଜାନୁୟାରୀ 15 କୁ ଆର୍ମି ଡେ’ ବା ସ୍ଥଳସେନା ଦିବସ ଭାବେ ଦେଶ 74 ବର୍ଷ ହେଲା ପାଳନ କରି ଆସୁଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ