ଜୟପୁର: 7 ବର୍ଷ ପରେ ଜୀବିତ ଫେରିଲେ ମୃତ ମହିଳା । ବିନା ଦୋଷରେ ତିନି ବର୍ଷ ଦଣ୍ଡ ଭୋଗୁଥିଲେ ଦୁଇ ନିର୍ଦ୍ଦୋଷ । ରାଜସ୍ଥାନର ଦୌସାରୁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ହତ୍ୟା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଦୁଇ ନୀରିହ ଲୋକଙ୍କୁ ପ୍ରାୟ 3 ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଲା । 7 ବର୍ଷ ପରେ ମୃତ ମହିଳା ଜଣକ ଜୀବିତ ଫେରିବା ପରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ଉକ୍ତ ମାମଲାର ପୁନଃ ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ଏହି ଘଟଣାଟି ଉତ୍ତରପ୍ରଦେଶର ଅଟେ । କିଛି ବର୍ଷ ପୂର୍ବେ କୌଶି ବାସିନ୍ଦା ଆରତୀ ଦୌସା ସ୍ଥିତ ମେହନ୍ଦୀପୁରରେ ଆସି ରହୁଥିଲେ । ସେଠାରେ ତାଙ୍କର ରାଜସ୍ଥାନ ସ୍ଥିତ ଦୌସାର ସୋନୁ ସୈନି ନାମକ ଜଣେ ବ୍ୟକ୍ତିଙ୍କ ସହ ଦେଖାହୁଏ । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଦୁହେଁ କୋର୍ଟରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଆରତୀ ନିଖୋଜ ହୋଇଯାଇଥିଲେ । ନିଖୋଜ ହେବାର କିଛି ଦିନ ପରେ ନିକଟସ୍ଥ ଏକ କେନାଲରେ ଜଣେ ଅଜ୍ଞାତ ମହିଳାଙ୍କ ମୃତଦେହ ମିଳିଥିଲା ।
ଏହି ଘଟଣାରେ ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଆରତୀଙ୍କ ପିତା ଥାନାରେ ଫଟୋ ଏବଂ ପୋଷାକ ଆଧାରରେ ମୃତ ମହିଳା ଜଣକ ତାଙ୍କ ଝିଅ ବୋଲି ଦାବି କରିଥିଲେ । 2015ରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପିତା ଆରତୀଙ୍କ ସ୍ବାମୀ ସୋନୁ ସୈନି ଏବଂ ଗୋପାଳ ସୈନିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଉତ୍ତରପ୍ରଦେଶ ବୃନ୍ଦାବନ ପୋଲିସ ରାଜସ୍ଥାନ ଦୌସା ଆସି ଆରତୀ ହତ୍ୟା ମାମଲାରେ ଦୁହିଁଙ୍କୁ ଗିରଫ କରିଥିଲା । ଏହା ମିଥ୍ୟା ଅଭିଯୋଗ କହିଥିଲେ ମଧ୍ୟ ପୋଲିସ ଶୁଣିନଥିଲା ।
ପ୍ରାୟ ତିନି ବର୍ଷ ଧରି ସୋନୁ ସୈନି ଏବଂ ଗୋପାଳ ସୈନି ଜେଲରେ ସଜା କାଟି ବେଲରେ ଆସିଥିଲେ । ଏହାପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ମୃତ ମହିଳା ଆରତୀ ଜୀବିତ ଅଛନ୍ତି ଏବଂ ଦୌସାର ବିଶାଳା ଗ୍ରାମରେ ରହୁଛନ୍ତି । ଏନେଇ ମେହନ୍ଦୀପୁର ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପୋଲିସ ଆରତୀଙ୍କୁ ଅଟକ ରଖି ପଚରାଉଚରା ପରେ ଉତ୍ତରପ୍ରଦେଶ ବୃନ୍ଦାବନ ପୋଲିସକୁ ହସ୍ତାନ୍ତର କରିଛି । ତେବେ ପୋଲିସର ତଦନ୍ତ ବେଳେ ଏକ ଚକିତକର କଥା ସାମ୍ନାକୁ ଆସିଛି । ମହିଳା ଜଣକ ସୋନୁ ସୈନିଙ୍କୁ ବିବାହ କରିବା ପରେ ଭଗବାନ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ରହୁଥିଲେ । ତେବେ ପୋଲିସ ଏହି ଘଟଣାର ପୁନଃ ତଦନ୍ତ ଆରମ୍ଭ କରିଛି ।