ଜୟପୁର: ଜଣେ 35 ବର୍ଷିୟ ମହିଳା 5 ମାସରେ 31 ଥର କୋରୋନା ପଜିଟିଭ୍ ବାହାରିଛନ୍ତି । ପ୍ରାୟ 17 ଥର ଆରଟି-ପିସିଆର୍ ପରୀକ୍ଷା ଓ 14 ଥର ରାପିଡ୍ ଆଣ୍ଟିଜେନ ପରୀକ୍ଷା କରେଇଛନ୍ତି । ରାଜସ୍ଥାନର ସାରଦା ଦେବୀଙ୍କ 31 ଥର କୋରୋନା ପଜିଟିଭ୍ ମେଡିକାଲ୍ ଟିମ୍ ପାଇଁ ଏକ ନୂଆ ଚ୍ୟାଲେଞ୍ଜ । ମେଡିକାଲ୍ ସାଇନ୍ସରେ କୁହାଯାଇଛି ଯେ, 14 ଦିନରେ କୋରୋନା ଭାଇରସର ଜୀବନଚକ୍ର ଶେଷହୁଏ ମାତ୍ର ମହିଳା ଜଣକ ପ୍ରଥମେ ସେପ୍ଟେମ୍ବରରେ କୋରୋନା ପରୀକ୍ଷା କରାଇଥିଲେ । ଏହାପରେ ସେ ଲଗାତାର ପରୀକ୍ଷା କରାଉଛନ୍ତି । ଜାନୁଆରୀ 7ରେ ସେ ଶେଷ ପରୀକ୍ଷା କରିଥିଲେ ଓ ଏଥର ବି ପଜିଟିଭ୍ ବାହାରିଛନ୍ତି ।
ଦେବୀ ଗତ ବର୍ଷ ଅଗଷ୍ଟରୁ ଭରତପୁରର ଅପନା ଆଶ୍ରମରେ ରହିଆସୁଛନ୍ତି। ଆଶ୍ରମ ପ୍ରୋଟୋକଲ ଅନୁଯାୟୀ, ସେ ଆଶ୍ରମକୁ ଆସିବା ପରେ କୋରୋନା ପଜିଟିଭ୍ ବାହାରିଥିଲେ । ସେବେଠାରୁ ସେ ଆଇସୋଲେସନରେ ଅଛନ୍ତି । ଏ ମଧ୍ୟରେ ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି । ଆଲୋପାଥିକ, ହୋମିଓପାଥିକ, ଆୟୁର୍ବେଦର ଚିକିତ୍ସା କରାଯାଉଥିବା ସତ୍ତ୍ବେ ପ୍ରତ୍ୟେକ ଥର ସେ ପଜିଟିଭ୍ ବାହାରିଛନ୍ତି ।
ଆଶ୍ଚର୍ଯ୍ୟର କଥା ହେଲା ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ 7-8 କେଜି ଓଜନ ମଧ୍ୟ ବଢିଛି । ଯେତେବେଳେ ତାଙ୍କୁ ଆଶ୍ରମ ଅଣାଯାଇଥିଲା, ସେ ଠିକ ଭାବେ ଠିଆ ହୋଇ ପାରୁନଥିଲେ ମାତ୍ର ସେ ବର୍ତ୍ତମାନ ସୁସ୍ଥ ବୋଲି ଡାକ୍ତର କହିଛନ୍ତି । ତେବେ ବର୍ତ୍ତମାନ ସେ ଆଶ୍ରମରେ ଆଇସୋଲେସନରେ ରହୁଥିବା ବେଳେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ଯେ, ସେ ବାରମ୍ବାର ପଜିଟିଭ୍ କେମିତି ହେଉଛନ୍ତି ।