ପାଟନା: ସୀମା ଟପିଲା ନୃଶଂସତା । ମହିଳାଙ୍କ ପ୍ରତି ହୋଇଥିବା ଏହି ଅତ୍ୟାଚାର ସୀମା ଟପିଛି । ବହୁ ଲୋକଙ୍କ ଉପସ୍ଥିତିରେ ମହିଳାଙ୍କ ଅତି ଅମାନୁଷିକ ଭାବେ ପିଟା ଯାଇଛି । ତାହା ପୁଣି ତତଲା ରଡ୍ରେ । ଏମିତି ଏକ ଲୋମହର୍ଷଣାକାରୀ ଘଟଣା ଘଟିଛି ବିହାରର ମେଧାପୁରରେ । ମେଧାପୁର ପଞ୍ଚାୟତ ମଝିରେ ଜଣେ ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ତତଲା ରଡରେ ନିଷ୍ଠୁର ଭାବରେ ପିଟାଯାଇଛି । ଜୀବନ ବିକଳରେ ମହିଳା ଜଣଙ୍କ ଚିତ୍କାର କରିଥିଲେ ହେଲେ ତାଙ୍କ କଥା କେହି ଶୁଣି ନଥିଲେ ।
ଏମିତି ଥିଲା ଘଟଣା...
ମହିଳାଙ୍କ ସମ୍ପର୍କୀୟ ଓ ପଡୋଶୀଙ୍କ କହିବା ଅନୁସାରେ ଉକ୍ତ ମହିଳା ଜଣଙ୍କ ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବା ଘଟଣା ପଦାକୁ ଆସିଥିଲା । ଏହି କଥା ଗାଁ ଲୋକଙ୍କୁ ଜଣାପଡିଯାଇଥିଲା । ମାମଲା ନେଇ ପଞ୍ଚାୟତ ଡକା ଯାଇଥିଲା । ମହିଳାଙ୍କୁ ଘଟଣା ସମ୍ପର୍କରେ ପଚରାଯାଇଥିଲା । ମହିଳା ଜଣଙ୍କ କିଛି କହିନଥିଲେ । ଏହି ସମୟରେ ସେଠାରେ ଥିବା ଜଣେ ବ୍ୟକ୍ତି ତତଲା ରଡ ଆଣି ମହିଳାଙ୍କୁ ପିଟିବାକୁ ଲାଗିଲା । ଶୁଣାଣି କରି ଲୋକମାନେ ଆଇନକୁ ହାତକୁ ନେଇ ମହିଳାଙ୍କୁ ଭୟଙ୍କର ଭାବରେ ପିଟିଥିଲେ । ମହିଳାଜଣଙ୍କ ନିଜକୁ ବଞ୍ଚାଇବାକୁ ଭିକ ମାଗିଲେ ହେଲେ କାହାରି ହୃଦୟ ତରଳିଲା ନାହଁ ସମସ୍ତେ ସେଠି କେବଳ ଦେଖଣାହାରି ସାଜିଥିଲେ । ଘଟଣା ନେଇ ମୁହଁ ନ ଖୋଲିବାକୁ ମହିଳାଙ୍କୁ ଗାଁରୁ ବାହାର କରିଦେବାକୁ ଧମକ ମଧ୍ୟ ଦିଆଯାଇଛି ।
ଘଟଣା ପଦାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି । ପୋଲିସ ଏସପି ରାଜେଶ କୁମାର କହିଛନ୍ତି ବର୍ତ୍ତମାନ ଏହି ଘଟଣା ଆମ ହାତକୁ ଆସି ଯାଇଛି । ମହିଳାଙ୍କ ଚିକିତ୍ସା ଚାଲିଛି । ଯିଏ ବି ଦୋଷୀ ହେଉ ନା କାହିଁକି ତାଙ୍କୁ ଛଡା ଯିବ ନାହିଁ । ଏହି ଅମାନବୀୟ ଘଟଣା ପୁଣି ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।