ହାଇଦ୍ରାବାଦ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକୁ ନେଇ ଏବେ ପୁଣି ଏକ ଚର୍ଚ୍ଚା ଜୋର ଧରିଛି । ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି ଯେ, ସେ ସାମ୍ବିଧାନିକ ସଙ୍କଟ ଏବଂ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ କରିବାରେ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି ତାଙ୍କୁ ଇସ୍ତଫା ଦେବାକୁ ପଡିଛି । ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି ।
ଯଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ୍ତା ନଭେମ୍ବର 4 ସୁଦ୍ଧା ବିଧାନସଭା ସଦସ୍ୟତା ନମିଳେ ତେବେ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ । ତେବେ 1951 ମସିହାରେ ପ୍ରଣୟନ ହୋଇଥିବା ଜନ ପ୍ରତିନିଧିତ୍ବ ଅଧିନିୟମ 151(ଏ) ଅନୁଯାୟୀ ନିର୍ବାଚନ ଆୟୋଗ ସଂସଦର 2 ସଦନ ଏବଂ ରାଜ୍ୟର ବିଧାନସଭା ସଦନର ଖାଲି ପଡିଥିବା ଆସନର ଉପନିର୍ବାଚନ 6 ମାସ ମଧ୍ୟରେ କରାଇବେ । ଯଦି କୌଣସି ବ୍ୟକ୍ତି ଉକ୍ତ ପଦବୀର ଦାୟିତ୍ବ ସମ୍ଭାଳିଥିବେ ତେବେ ସେ ଅତିବେଶିରେ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରେ ରହିପାରିବେ । ଏହାପରେ ଉପନିର୍ବାଚନ କରି ପଦବୀ ପୂରଣ କରାଯିବ ।
ଏହା ମଧ୍ୟ ପଢନ୍ତୁ:- ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଚିଠି: ଉପନିର୍ବାଚନ ପାଇଁ ଅନୁରୋଧ
ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯଦିଓ କଳେ-ବଳେ-କୌଶଳେ ରାଜ୍ୟରେ ସରକାର ଗଠନ କରିସାରିଛନ୍ତି, ତଥାପି ନନ୍ଦିଗ୍ରାମର ହାର୍ ତାଙ୍କ ପିଛା ଛାଡିନାହିଁ । ନଭେମ୍ବର ସୁଦ୍ଧା ତାଙ୍କୁ ବିଧାନସଭାରେ ସଦସ୍ୟତା ଜାହିର କରିବାକୁ ପଡିବ ।
ରାଜନୀତିଜ୍ଞଙ୍କ ବିଶ୍ଳେଷଣ ଅନୁସାରେ କୋରୋନା ମହାମାରୀ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ନିର୍ବାଚନ ସ୍ଥଗିତ ରଖିପାରନ୍ତି । ଯଦି ଉପନିର୍ବାଚନ ସ୍ଥଗିତ ରହେ ତେବେ ମମତାଙ୍କୁ ଆସନରୁ ଇସ୍ତଫା ଦେବା ଏକ ପ୍ରକାର ସ୍ପଷ୍ଟ ହୋଇଯିବ । ସେପଟେ ଉପନିର୍ବାଚନ ପାଇଁ ମମତା ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ