କୋଲକାତା: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକାଠି ହେଉଛନ୍ତି ବିରୋଧି ଦଳ । କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ବିରୋଧି ରଣନୀତି ପ୍ରସ୍ତୁତ କରୁଛନ୍ତି । ଏପରି ସ୍ଥଳେ ପ୍ରଥମ ଥର ଆସନ୍ତା ସାଧାରଣ ନିର୍ବାଚନରେ ବିରୋଧି ଏକତା ନେଇ ସମ୍ଭାବ୍ୟ ରଣନୀତି ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଟିଏମସି ସୁପ୍ରିମୋ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବାକୁ । କଂଗ୍ରେସ ଯେଉଁଠି ମଜଭୁତ ସ୍ଥିତିରେ ଅଛି, ସେଠାରେ ତାକୁ ଲଢିବାକୁ ଦିଆଯିବ ।
ଗତକାଲି ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମମତା କହିଛନ୍ତି, "ଯେଉଁଠି କଂଗ୍ରେସ ସୁଦୃଢ ସେଠାରେ ତାକୁ ଲଢିବାକୁ ଦିଅନ୍ତୁ । ଆମେମାନେ ସମର୍ଥନ କରିବୁ । ଏଥିରେ କୌଣସି ଭୁଲ୍ ନାହିଁ । କିନ୍ତୁ ଏହାର ପ୍ରତିବଦଳରେ କଂଗ୍ରେସକୁ ମଧ୍ୟ ଅନ୍ୟ ରାଜନୈତିକ ଦଳଗୁଡିକୁ ସମର୍ଥନ କରିବାକୁ ହେବ । ଅନ୍ୟ ଦଳର ସମର୍ଥନ ହାସଲ କରିବାକୁ ହେଲେ କଂଗ୍ରେସ ମଧ୍ୟ ସେମାନଙ୍କୁ ସମର୍ଥନ କରିବାକୁ ପଡିବ । ସେହିପରି ସିଟ୍ ବଣ୍ଟନ ଫର୍ମୁଲାରେ ମଧ୍ୟ ଆଞ୍ଚଳିକ ଦଳଗୁଡିକୁ ପ୍ରାଥମିକତା ଦିଆଯିବା ନେଇ ଆଶା କରୁଛୁ ବୋଲି ମମତା କହିଛନ୍ତି ।"
![ମମତା କହିଲେ ଯେଉଁଠି କଂଗ୍ରେସ ମଜବୁତ ଅଛି ସେଠି ସମର୍ଥନ କରିବୁ](https://etvbharatimages.akamaized.net/etvbharat/prod-images/18496426_gfvsdgsdg.jpg)
ସେ କହିଛନ୍ତି ଯେ, ଯେଉଁଠାରେ ଆଞ୍ଚଳିକ ଦଳଗୁଡିକ ସୁଦୃଢ ଅଛନ୍ତି, ସେହି ଦଳଗୁଡିକୁ ସିଟ୍ ବଣ୍ଟନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବା ଉଚିତ୍ । ଏହାସହିତ କର୍ଣ୍ଣାଟକରେ ବିଜେପିକୁ ହରାଇ ବହୁମତରେ କଂଗ୍ରେସକୁ ନିର୍ବାଚିତ କରିବା ପାଇଁ ଟିଏମସି ସୁପ୍ରିମୋ ରାଜ୍ୟବାସୀଙ୍କୁ ସ୍ୟାଲୁଟ୍ କରିଛନ୍ତି । ମମତାଙ୍କ ଏହି ବୟାନରେ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ସୁଧୀର ରଞ୍ଜନ କହିଛନ୍ତି, ପ୍ରତିଟି ଚ୍ୟାଲେଞ୍ଜକୁ କିପରି ମୁକାବିଲା କରାଯିବା ତାହା କଂଗ୍ରେସ ଜାଣିଛି । ଗତ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ ବିଜେପିକୁ ପରାଜିତ କରି ବଡ ବିଜୟ ହାସଲ କରିଥିଲା । ନିର୍ବାଚନ ଜିତିବା ପରେ ବର୍ତ୍ତମାନ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ ସେନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ରାଜ୍ୟ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ବଡ ଦାବିଦାର ଅଛନ୍ତି । ଦୁହେଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି । ଯାହାକି ଏବେ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହିଭଳି ପରିସ୍ଥିତି ପାଇଁ ପୂର୍ବରୁ କଂଗ୍ରେସକୁ ବଡ ବିପଦର ସାମ୍ନା କରିବାକୁ ପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ